ରାଜଗାଙ୍ଗପୁର:ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ସ୍କୁଲଛାତ୍ରୀଙ୍କୁ ଯୌନଶୋଷଣ ନେଇ ତାଙ୍କ ମା’ ରାଜଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ରାଜଗାଙ୍ଗପୁର କାଂଶବାହାଲ ଫାଣ୍ଡି ଅଞ୍ଚଳର ଜଣେ ନାବାଳିକା ସ୍କୁଲଛାତ୍ରୀଙ୍କ ହ୍ଵାଟ୍ସଆପ୍‌ ଷ୍ଟାଟସ୍‌ରେ ନଗ୍ନଚିତ୍ରକୁ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ଦେଖିବା ପରେ ଘଟଣା ସମ୍ପର୍କରେ ଛାତ୍ରୀ ଓ ତାଙ୍କ ଅଭିଭାବକଙ୍କୁ ପଚାରିଥିଲେ। ଏହାପରେ  ଛାତ୍ରୀଜଣକ ଘଟଣାର ସମସ୍ତ ରହସ୍ୟ ଖୋଲିଥିଲେ। ଛାତ୍ରୀଙ୍କ କହିବା ମୁତାବକ ଦୀର୍ଘ ଏକବର୍ଷ ଧରି ପଡ଼ୋଶୀ ୩୫ ବର୍ଷୀୟ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ।

Advertisment

ଘଟଣା ବିଷୟରେ କାହାକୁ କହିଲେ ତାଙ୍କୁ ଏବଂ ପରିବାରଲୋକଙ୍କୁ ଜୀବନରେ ମାରିଦେବାକୁ ଧମକଚମକ ଦେଇ ଯୌନଶୋଷଣ କରୁଥିଲେ। ଏହାସହିତ ଛାତ୍ରୀ ବ୍ୟବହାର କରୁଥିବା ମୋବାଇଲ୍‌କୁ ଅଶ୍ଲୀଳ ଭିଡିଓ ପଠାଉଥିଲେ। ଉକ୍ତ ଭିଡିଓଚିତ୍ରଟି ମୋବାଇଲ୍‌ରେ ଆସିବା ପରେ ଘଟଣାଟି ସ୍କୁଲ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଥିଲା ଓ ଖୋଳତାଡ଼ ହୋଇଥିଲା। ଛାତ୍ରୀଙ୍କ ପରିବାରଲୋକ ରାଜଗାଙ୍ଗପୁର ଥାନାରେ ପଡ଼ୋଶୀ ଯୁବକଙ୍କ ବିରୋଧରେ  ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।