ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗାଁର ଜଣେ ୧୦ ବର୍ଷର ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଗାଁ ପାଖ ନାଳରୁ ଉଦ୍ଧାର ହୋଇଛି। ଦୁଷ୍କର୍ମ କରି ନାଳରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ଶାବଳଭଙ୍ଗା ନିକଟରେ ଅନୁଗୁଳ-ବନ୍ତଳା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଏପଟେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନୁଗୁଳ ଏସ୍ପି ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରିଛନ୍ତି। ପରିବାର ଲୋକଙ୍କ ସୂଚନା ଅନୁସାରେ, ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକା ଶନିବାର ଅପରାହ୍ଣରୁ ନିଖୋଜ ଥିଲେ। ଘର ଲୋକ ଖୋଜାଖୋଜି କରି ନ ପାଇବାରୁ ରାତିରେ ସଦର ଥାନାରେ ଜଣାଇଥିଲେ। ଏପଟେ ରାତିରେ ଗାଁର ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ ତାଙ୍କର କିଛି ପତ୍ତା ମିଳି ନ ଥିଲା। ହେଲେ ଆଜି ସକାଳେ ଗାଁ ପାଖ ଭାଲୁଖାଇ ନାଳରେ ନାବାଳିକାଙ୍କ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ନାବାଳିକାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିଲା। ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରି ତୁରନ୍ତ ପୁଲିସକୁ ଜଣାଇଥିଲେ।
ନାଳରୁ ମିଳିଲା କ୍ଷତାକ୍ତ ମୃତଦେହ
ଉତ୍ତେଜନା, ରାସ୍ତା ଅବରୋଧ
ତଦନ୍ତ କରୁଛି ପୁଲିସର ଦୁଇଟି ଟିମ୍
ଅନୁଗୁଳ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ଏଥିସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିଲା। ଘଟଣାସ୍ଥଳରେ ଅନୁଗୁଳ ଏସ୍ପି ରାହୁଲ ଜୈନ ପହଞ୍ଚି ନାବାଳିକାଙ୍କ ପରିବାର ଓ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ, ଘଟଣାର ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଛି। ତଦନ୍ତକୁ ସେ ନିଜେ ତଦାରଖ କରିବେ। ଖୁବ୍ଶୀଘ୍ର ଦୋଷୀକୁ ଧରାଯିବ ବୋଲି ଏସ୍ପି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ ଗାଁରେ ପହଞ୍ଚି ପରିବାର ଲୋକଙ୍କ ସହ କଥା ହୋଇଛନ୍ତି। ଏହି ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଅପରାହ୍ଣରେ ମୃତଦେହକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏଠାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଏପଟେ ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ଶାବଳଭଙ୍ଗା ନିକଟରେ ଅନୁଗୁଳ-ବନ୍ତଳା ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିଥିଲେ। ଫଳରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଦୋଷୀଙ୍କୁ ତୁରନ୍ତ ଧରିବା ସହ ଉଚିତ ଦଣ୍ଡ ଦେବାକୁ ସେମାନେ ଦାବି କରିଥିଲେ। ଏସ୍ପି ଓ ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ ଲୋକଙ୍କୁ ବୁଝାସୁଝା କରିବା ପରେ ଅପରାହ୍ଣ ପ୍ରାୟ ୪ଟାରେ ରାସ୍ତାରୋକ ହଟିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ସମ୍ପର୍କରେ ଅଧିକ କିଛି ଜଣାପଡ଼ିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/08/dagaddgzcv-2025-09-08-01-37-15.jpg)