ଅନୁଗୁଳ : ପରିବାର ଲୋକଙ୍କ ସହିତ ଦୋକାନ ବାରଣ୍ଡାରେ ଶୋଇଥିବା ଏକ ଯାଯାବର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ନାଳକୁ ଫିଙ୍ଗିଦେବା ଘଟଣା ଅନୁଗୁଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ସକାଳେ ଅନୁଗୁଳ ସରକାରୀ ବସ୍ଷ୍ଟାଣ୍ଡ ପାଖ ‘ଆହାର’ କେନ୍ଦ୍ର ପଛପଟୁ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ଶିଶୁଟିର ବୟସ ହେଉଛି ୮ ବର୍ଷ। ପ୍ରାୟ ଦୁଇ ବର୍ଷ ତଳେ ମା’ ଆରପାରିକୁ ଚାଲିଯାଇଛି। ୨୨ ବର୍ଷର ବଡ଼ଭାଇ ତାଙ୍କ ସାହାରା। ଗତ ୫ ଦିନ ତଳେ ଭାଇ ଓ ଅନ୍ୟ ୨ ଭଉଣୀ ସହ ଏହି କୁନି ଝିଅଟି ଅନୁଗୁଳ ମିସନ ବଂଗଳା ସାମ୍ନା ପଡ଼ିଆ ଖାଲି ଜାଗାରେ ରହୁଥିବା ଯାଯାବର ବସ୍ତିକୁ ଚାଲିଆସିଥିଲେ। ସେଠାରେ ବି ରହୁଥିଲେ ନାବାଳିକାର ମାମୁ, ମାଇଁ ଓ ଅନ୍ୟ ସମ୍ପର୍କୀୟ।
ଗତକାଲି ରାତିରେ ବର୍ଷା ଆଶଙ୍କା କରି ଅଳ୍ପ ଦୂରରେ ଥିବା ସିଣ୍ଡିକେଟ ବ୍ୟାଙ୍କ ସମ୍ମୁଖ ରାସ୍ତାର ଅପରପାର୍ଶ୍ବ ଦୋକାନ ବାରଣ୍ଡାରେ ଶୋଇଥିଲେ ବହୁଲୋକ। ପୀଡ଼ିତା ବି ନିଜ ମାମୁମାଇଁ ଓ ଅନ୍ୟ ସଂପର୍କୀୟଙ୍କ ସହିତ ଶୋଇଥିେଲ। ବିଳମ୍ବିତ ରାତ୍ରିରେ ଶୋଇଥିବା ଅବସ୍ଥାରେ ତାଙ୍କୁ କେହି ନରରାକ୍ଷସ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ଏହି ଅମାନବୀୟ କାଣ୍ଡ ଭିଆଇବାବେଳେ ସେ ଅତ୍ୟନ୍ତ ନିଷ୍ଠୁର ହୋଇଯାଇଥିଲା। କୁନି ଝିଅର କପାଳକୁ ପଥର କିମ୍ବା ଅନ୍ୟ କୌଣସି ଶକ୍ତ ଜିନିଷରେ ଆଘାତ ଦେଇଥିଲା। ଶରୀରକୁ କ୍ଷତବିକ୍ଷତ କରି ପକାଇଥିଲା। ଆଉ ‘ଆହାର’ କେନ୍ଦ୍ର ପଛପାଖ ନାଳରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା।
ଆଜି ଭୋର ୫ଟାରେ ନିଦ ଭାଂଗିବା ପରେ ଏହି ଶିଶୁକନ୍ୟାକୁ ନପାଇ ଯାଯାବରମାନେ ଖୋଜାଖୋଜି କରିଥିଲେ। ପରେ ଜଣେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଗୁରୁତର ଅବସ୍ଥାରେ ୫୦୦ ମିଟର ଦୂର ‘ଆହାର’ କେନ୍ଦ୍ର ନିକଟରୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ। ସକାଳ ୭ଟାରେ ଅନୁୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
ପୀଡ଼ିତାଙ୍କ ଚିକିତ୍ସା ପାଇଁ ସିଡିଏମ୍ଓ ପ୍ରତାପ ବେହେରା ୩ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଅପରାହଣ୍ ୩ଟାରେ ଏକ ଜରୁରୀ ଅସ୍ତ୍ରୋପଚାର ସମୟରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥିତି ଅଧିକ ଜଟିଳ ହେବା ଆଶଙ୍କା କରି ପୀଡ଼ିତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ରେଫର କରାଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଏହି ଅମାନବୀୟ ଘଟଣା ପରେ ପୁଲିସର ଚେତା ପଶିଛି। ଡିଆଇଜି ନରସିଂହ େଭାଳ, ଏସ୍ପି ମିତ୍ରଭାନୁ ମହାପାତ୍ର, ଏସ୍ଡିପିଓ ଅଶ୍ବିନୀ ସାହୁ ପ୍ରମୁଖ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ପୀଡ଼ିତା ଓ ତା’ର ପରିବାରକୁ ଭେଟିବା ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଡିଆଇଜି ନରସିଂହ ଭୋଳ କହିଛନ୍ତି ଯେ, ‘ ଆଜି ସକାଳେ ଝିଅଟି ଉଦ୍ଧାର ହେବା ପରେ ସାମାନ୍ୟ କିଛି ସୂଚନା ଦେଇଥିଲା। ଏବେ କିନ୍ତୁ ଝିଅଟି କିଛି କହିବା ଅବସ୍ଥାରେ ନାହିଁ।’ ‘ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରିବା ସହ ପୀଡ଼ିତା ଓ ଅନ୍ୟମାନଙ୍କ ସୂଚନା ଆଧାରରେ ତଦନ୍ତ ଚଳାଇଛି। ଏସ୍ପି ମିତ୍ରଭାନୁ ମହାପାତ୍ର ନିଜେ ତଦନ୍ତକାରୀ ଟିମ୍ର ନେତୃତ୍ବ ନେଉଛନ୍ତି। ଆଶା କରାଯାଉଛି, ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବାର ସଫଳତା ମିଳିଯିବ,’ ବୋଲି ଡିଆଇଜି ଶ୍ରୀ ଭୋଳ କହିଛନ୍ତି।
ଘଟଣାରେ ଟି-ସାର୍ଟ ପିନ୍ଧା ଜଣେ ଲଣ୍ଡା ବ୍ୟକ୍ତିର ସଂପୃକ୍ତି ଥିବା ଯାଯାବରମାନେ ସନ୍ଦେହ କରୁଛନ୍ତି। ସେମାନଙ୍କ କହିବା କଥା, ଏକ ସପ୍ତାହ ତଳେ ଉକ୍ତ ବ୍ୟକ୍ତି ଜଣକ ରାତିରେ ଜଣେ ପିଲାକୁ ଉଠାଇ ନେଇ ପଳାଉଥିଲା। ମାତ୍ର ଚେଇଁ ପଡ଼ିଥିବା ଲୋକେ ତାକୁ ଧରିବା ପାଇଁ ଗୋଡେଇବାରୁ ସେ ପିଲାକୁ ଛାଡ଼ି ଦୌଡ଼ି ଫେରାର ହୋଇଯାଇଥିଲା। ତେବେ, ଅନୁଗୁଳ ଥାନା ପୁଲିସ ସନ୍ଦେହରେ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଅଟକି ରଖି ପଚରାଉଚରା କରୁଛି।