ବାରଙ୍ଗ/କଟକ: ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁର ନିକଟସ୍ଥ ଏକ ଇଟାଭାଟିରେ ମଙ୍ଗଳବାର ରାତିରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଭଳି ଏକ ଜଘନ୍ୟ ଘଟଣା ଘଟିଛି। ଅଭିଯୁକ୍ତ ଝାଡ଼ଖଣ୍ଡର ହାଟଗମରିଆ ଥାନା ଅନ୍ତର୍ଗତ ସିଆଲଯୋଡ଼ା ଗ୍ରାମର କୈଳାସ ଥଟେରା(୨୧) ଓରଫ ହେମ୍ବର। ସେ ଆଜି ଏକ ଗଛ ପାଖରେ ହାତରେ କଇଁଚି ଧରି ଜଣଙ୍କର ଚୁଟି କାଟୁଥିବା ବେଳେ ବାରଙ୍ଗ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ସାଦା ପୋଷାକରେ ପହଞ୍ଚି ମାଡ଼ି ବସିଥିଲେ। ଥାନା ଅଧିକାରୀ ତାକୁ ତୁ କୈଳାସ କି ବୋଲି ପଚାରି ଥିବାବେଳେ ଅଭିଯୁକ୍ତ ନିଜ ନାମ ଗୋପାଳ ବୋଲି କହିଥିଲା। କିନ୍ତୁ ଥାନାକୁ ଆଣି ମୋବାଇଲରେ ରଖିଥିବା ଫଟୋ ସହ ମିଳାଇବାରୁ ତାହା ମେଳ ଖାଇଥିଲା। ପୁଲିସ ଜେରା କରିବାରୁ ଅଭିଯୁକ୍ତ ସବୁ ସତ ଓଗାଳିଥିଲା।
ମଙ୍ଗଳବାର ଅପରାହ୍ଣ ୩ଟା ବେଳେ ନାବାଳିକାକୁ ଚକୋଲେଟ୍ ଦେବାକୁ କହି ଅଭିଯୁକ୍ତ ଇଟାଭାଟି ପଛପାଖ ଏକ ବୁଦା ମୂଳକୁ ନେଇ ଦୁଷ୍କର୍ମ କରିଥିଲା। ଏ ସଂପର୍କରେ ଜାଣିବାକୁ ପାଇ ପଡ଼ୋଶୀଙ୍କ ସହାୟତାରେ ବାପା ମାଆ ରାତି ୧୧ଟା ବେଳେ ବାରଙ୍ଗ ଥାନାକୁ ଯାଇ ଅଭିଯୋଗ କରିବା ସହ ପୁଲିସର ସହଯୋଗ ଲୋଡ଼ିଥିଲେ। ପୁଲିସ ନାବାଳିକାକୁ କଟକ ବଡ଼ଡାକ୍ତରଖାନାକୁ ପଠାଇବା ସହ ତାର ବୟାନ ନେଇଥିଲା। ପୁଲିସ ଆଜି ଉଭୟ ପୀଡ଼ିତା ନାବାଳିକା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରିଛି। ପୁଲିସ କହିବା ଅନୁଯାୟୀ ପୀଡ଼ିତାଙ୍କ ବାପା ଓ ମା' ଝାଡ଼ଖଣ୍ଡ ରାଜ୍ୟରୁ ଆସି ଇଟାଭାଟିରେ କାମ କରୁଥିଲେ। ଗିରଫ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଆସି ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଘରେ ରହି ତାଙ୍କ ଟ୍ରାକ୍ଟର ଚଳାଉଥିଲା। ବାରଙ୍ଗ ଥାନା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।