ଧର୍ମଶାଳାରେ ପୁଣି ଲଜ୍ଜା : ସରସ୍ୱତୀ ପୂଜାରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ
ନାବାଳକ ଗିରଫ, ୪ କଲେଜ ଛାତ୍ର ଫେରାର
ଯାଜପୁର/ସଦର ଧର୍ମଶାଳାରେ ପୁଣି ଲଜ୍ଜା। ପୁଣି ଜଣେ ନାବାଳିକାକୁ ଅସଦାଚରଣ। ପବିତ୍ର ଶ୍ରୀପଞ୍ଚମୀ ଦିନ ସ୍କୁଲରେ ସରସ୍ବତୀଙ୍କ ପୂଜା ଆରାଧନା ଚାଲିଥିବା ବେଳେ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ସହଯୋଗରେ କେତେକ କଲେଜ ପଢ଼ୁଆ ଛାତ୍ର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। ଘଟଣା ପ୍ରଘଟ କଲେ ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଗୋଟିଏ ମାସରେ ତିନି ତିନି ଜଣ ନାବାଳିକାକୁ ଦୁଷ୍କର୍ମ, ଅସଦାଚରଣ ଭଳି ଘଟଣାକୁ ନେଇ ଧର୍ମଶାଳା ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁଯାୟୀ, ଧର୍ମଶାଳା ଥାନା ଅଧୀନ ବାରବାଟୀ ନିକଟ ଏକ ସ୍କୁଲରେ ବାଗଦବେୀଙ୍କ ପୂଜା ଆରାଧନା ଚାଲିଥିବା ବେଳେ ୪ ଜଣ କଲେଜ ଛାତ୍ରଙ୍କ ସମେତ ମୁଖ୍ୟ ଅଭିଯୁକ୍ତ ନାବାଳକ ଜଣକ ଛାତ୍ରୀଙ୍କୁ ଟଣାଓଟରା ଏବଂ ଅସଦାଚରଣ କରିଥିଲେ। ଘଟଣା ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ନାବାଳିକା ପରିବାର ଲୋକଙ୍କୁ ଜଣାଇବା ପରେ ଝିଅର ବାପା ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ ନଂ ୪୧/୨୦ରେ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ନାବାଳକକୁ ହେପାଜତକୁ ଆଣିଥିଲେ। ଅନ୍ୟ ୪ ଜଣ କଲେଜ ଛାତ୍ର ଫେରାର ହୋଇ ଯାଇଛନ୍ତି। ଆଜି ପୁଲିସ ଛାତ୍ରୀଙ୍କ ଡାକ୍ତରୀ ମାଇନା ସହ କୋର୍ଟରେ ବୟାନ ରେକର୍ଡ କରିଛି। ଏଥି ସହିତ ଅଭିଯୁକ୍ତ ନାବାଳକକୁ କିଶୋର ନ୍ୟାୟ ପରିଷଦରେ ହାଜର କରାଯାଇ ଅନୁଗୁଳ ବାଳ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି। ଶିକ୍ଷକଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁ ଦୈନିକ କେତେକ ଅସାମାଜିକ ଯୁବକ ସ୍କୁଲ ହତାରେ ପଶି ଛାତ୍ରୀମାନଙ୍କୁ ହଇରାଣ ହରକତ କରୁଛନ୍ତି ବୋଲି ପୀଡ଼ିତାଙ୍କ ପରିବାର ସାଂଘାତିକ ଅଭିଯୋଗ କରିଛନ୍ତି।
ସୂଚନାଥାଉକି, ବର୍ଷ ଶେଷ ଆଡ଼କୁ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେବି ରହସ୍ୟାବୃତ୍ତ ହୋଇ ରହିଥିବା ବେଳେ ଆଉ ଜଣେ ନାବାଳିକାଙ୍କୁ ନିର୍ଯାତନା ଘଟଣାରେ ପୁଲିସ ୯ ଜଣଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି। ଜାନୁଆରି ୧୩ ତାରିଖରେ ଅଙ୍ଗନବାଡ଼ିର ଜଣେ ୫ ବର୍ଷର ଶିଶୁକୁ ୧୪ ବର୍ଷର ନାବାଳକ ବଳାତ୍କାର କରି ଲହୁଲୁହାଣ କରିବା ଘଟଣା ସାଧାରଣରେ ଆସିବା ପୂର୍ବରୁ ଚାପି ଦିଆଯାଇଥିଲା। ଘଟଣା ପ୍ରଘଟ ହେବା ପରେ ବାଧ୍ୟ ହୋଇ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସମାଜ ମଙ୍ଗଳ ଅଧିକାରିଣୀ ଉକ୍ତ ମଙ୍ଗଳପୁର-୨ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଓ ସହାୟିକାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲେ। ମାତ୍ର ବର୍ଷ ଆରମ୍ଭରୁ ଏଯାବତ ତିନି ତିନି ଜଣ ନାବାଳିକାଙ୍କୁ ନିର୍ଯାତନା, ଅସଦାଚରଣ ଘଟଣା ସମଗ୍ର ଧର୍ମଶାଳା ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି।