କଲମ ପାଇଁ ସାନଭାଇ ସହ ଝଗଡ଼ା: ଗାଳି ସହିନପାରି ଭଉଣୀର ଆତ୍ମହତ୍ୟା

ବଡ଼ସାହି/ମାଣତ୍ରି : କଲମ ପାଇଁ ସାନଭାଇ ସହ ଝଗଡ଼ା। ଜେଜେବାପା ଓ ଜେଜେମା ଗାଳିଦେବା ତାଙ୍କ ପକ୍ଷରେ ହଜମ ହେଲାନି। ଆଉ ଜୀବନ କ’ଣ ବୁଝିବା ପୂର୍ବରୁ ପ୍ରାଣ ହାରିଦେଲେ ୧୬ ବର୍ଷର କିଶୋରୀ ଝିଅଟିଏ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ପଟିସାରି ଗାଁରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣାକୁ ନେଇ ପରିବାରରେ କାନ୍ଦବୋବାଳି ପଡ଼ିଥିବାବେଳେ ଗାଁ ଲୋକେ ବି ହତବାକ୍ ହୋଇ ଯାଇଛନ୍ତି।

ମୃତକ ହେଲେ ଦିବାକର ବେହେରାଙ୍କ ଝିଅ ସୂଚୀପ୍ରଭା। ସୂଚୀପ୍ରଭା ଗାଁ ପାଖ କ୍ଷୀରପଦା ବଳଦେବ ଜିଉ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଗତକାଲି ସ୍କୁଲରୁ ଫେରିବା ପରେ ଏକ କଲମକୁ ନେଇ ସୂଚୀପ୍ରଭା ଓ ତାଙ୍କ ୫ ବର୍ଷର ସାନଭାଇ (କକାପୁଅ) ନିଜ ଭିତରେ ଟଣାଓଟରା ଲାଗିଥିଲେ। ଛାର କଲମଟେ ପାଇଁ ଭାଇଭଉଣୀ କ’ଣ ପାଇଁ କଳିଝଗଡ଼ା ଲାଗୁଛ କହି ସୂଚୀପ୍ରଭାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ ଜେଜେମା ଓ ଜେଜେବାପା। ତେବେ ଏହି ଆକଟକୁ ମାନସିକସ୍ତରରେ ସହି ପାରିନଥିଲେ ସୂଚୀପ୍ରଭା। ସନ୍ଧ୍ୟାରେ ବାପା, ମା ଘରେ ନଥିଲା ବେଳେ ଏକ ଓଢ଼ଣୀରେ ଫାଶୀ ଲଗାଇ ଝୁଲିପଡ଼ିଥିଲେ। ଏହା ଜାଣିବା ପରେ ଘର ଲୋକେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବଡ଼ସାହି ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇ ସାରିଥିଲା। ଏ ନେଇ ବଡ଼ସାହି ଥାନା କେସ୍‌ ନଂ ୫୮/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ।

ସମ୍ବନ୍ଧିତ ଖବର