ନ୍ୟାୟ ନ ପାଇ ପୀଡ଼ିତା ନାବାଳିକାଙ୍କ ଆତ୍ମହତ୍ୟା ମାମଲା : ଅଭିଯୁକ୍ତ ଗିରଫ, ପୂର୍ବତନ ଫାଣ୍ଡି ଅଧିକାରୀ ନିଲମ୍ବିତ

ଢେଙ୍କାନାଳ : ସଦର ଥାନା ଦୀନବନ୍ଧୁପୁର ଚତକାସାହିର ଜଣେ ନାବାଳିକା ବାରମ୍ବାର ଅସଦାଚରଣର ଶିକାର ହୋଇ ନ୍ୟାୟ ନ ପାଇବା ପରେ ଆତ୍ମହତ୍ୟା କରିବା ଘଟଣା ସାରାରାଜ୍ୟରେ ଚାଞ୍ଚଲ୍ୟ‌ ସୃଷ୍ଟି କରିଛି। ଏହି ମାମଲାରେ ଅଭିଯୁକ୍ତ ଯୁବକକୁ ଆଜି ପୁଲିସ ଗିରଫ କରିଛି। ଗତକାଲି ଏହି ଘଟଣାରେ ଭାପୁର ଫାଣ୍ଡିର କାର୍ଯ୍ୟରତ ଜଣେ ଏଏସ୍‌ଆଇଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଆଜି ପୂର୍ବତନ ଫାଣ୍ଡି ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ଏସ୍‌ପି ଅନୁପମା ଜେମ୍ସ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଦୀନବନ୍ଧୁପୁର ଚତକାସାହିର ଜଣେ ୧୭ ବର୍ଷୀୟା ନାବାଳିକା ଘରେ ଏକାକୀ ଥିବା ସମୟରେ ସେହି ସାହିର ସୁବାସ ମୁଦୁଲି ବିଭିନ୍ନ ବାହାନାରେ ଥରକୁ ଥର ଘରକୁ ଯାଇ ତାଙ୍କୁ ଅସଦାଚରଣ କରିଥିଲା। ଏହି ଘଟଣାରେ ପରିବାର ଲୋକଙ୍କ ଅଭିଯୋଗକ୍ରମେ ଗାଁ ସଭା ବସି ଆଲୋଚନା କରାଯିବା ସହ ସରପଂଚଙ୍କୁ ଅବଗତ କରାଯାଇଥିଲା। ହେଲେ ଏଥିରେ କୌଣସି ସୁଫଳ ନମିଳିବାରୁ ଗତ ୬ ତାରିଖରେ ଭାପୁର ଫାଣ୍ଡିରେ ଅଭିଯୋଗ କରି ପୁଲିସର ସହାୟତା ଲୋଡ଼ିଥିଲେ। ହେଲେ, ଏଠାରୁ ମଧ୍ୟ ସେ ନ୍ୟାୟ ପାଇପାରିଲେ ନାହିଁ। ଫଳରେ, ଏଥିରେ ଅତିଷ୍ଠ ହୋଇ ସଂପୃକ୍ତ ନାବାଳିକା ଶେଷରେ ଗତ ୨୯ ତାରିଖ ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ ।

ଝିଅର ମୃତ୍ୟୁ ପରେ ନାବାଳିକାଙ୍କ ବାପା ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଗଣମାଧ୍ୟମରେ ଘଟଣା ପ୍ରଚାରିତ ହେବା ପରେ ଗତକାଲି ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପ୍ରାଥମିକ ତଦନ୍ତ କରି ଭାପୁର ଫାଣ୍ଡିରେ କାର୍ଯ୍ୟରତ ଏଏସ୍‌ଆଇ ପଦ୍ମନାଭ ସାହୁଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଏହି ଘଟଣା ପାଇଁ ଆଜି ପୁନର୍ବାର ଶ୍ରୀ ଭୋଳ ଫାଣ୍ଡିର ପୂର୍ବତନ ଅଧିକାରୀ ପ୍ରଶାନ୍ତ କୁମାର ପଢିଆରୀଙ୍କୁ ମଧ୍ୟ ନିଲମ୍ବିତ କରିଛନ୍ତି। ଏଥିସହିତ, ଆଜି ଦୀନବନ୍ଧୁପୁର ଗ୍ରାମ ନିକଟସ୍ଥ ବଧିଆବେରେଣୀଠାରେ ଅପରାହ୍ନ ସାଢେ ୪ଟାରେ ଅଭିଯୁକ୍ତ ଯୁବକ ସୁବାସ ମୁଦୁଲି (୨୯)କୁ ପୁଲିସ୍ ଗିରଫ କରିଛି। ସୁବାସ ନାମରେ ପୂର୍ବରୁ ୨୦୧୪ ଜୁନ୍ ୬ ତାରିଖରେ କେସ୍ ନମ୍ବର ୨୦୬ ରେ ଅନ୍ୟ ଏକ ମାମଲା ରହିଥିବା ଏସ୍‌ପି ଶ୍ରୀମତୀ ଜେମ୍ସ ସଦର ଥାନାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଠାରେ ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ସଦର ଥାନା ଅଧିକାରୀ ସଂଧ୍ୟାରାଣୀ ବେହୁରିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର