ତିର୍ତ୍ତୋଲରେ ଆଲୋଡ଼ନ : ୪୦ ଦିନ ହେଲାଣି ନାବାଳିକାଙ୍କ ପତ୍ତା ମିଳୁନି

ବେଙ୍ଗାଲୁରୁରୁ ଖାଲି ହାତରେ ଫେରିଲା ପୁଲିସ
ପ୍ରେମିକଙ୍କୁ ପଚରାଉଚରା କରି ଛାଡ଼ିଲା
ପୁରସ୍କାର ଘୋଷଣା କଲେ ନିଖୋଜଙ୍କ ପରିବାର

ଭୁବନେଶ୍ବର : ରାଜ୍ୟରେ ନାବାଳିକା ନିଖୋଜ ଉଦ୍‌ବେଗଜନକ ରହିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନାବାଳିକା ନିଖୋଜ, ଯୌନ ନିର୍ଯାତନାର ଶିକାର ଖବର ଆସୁଥିବା ବେଳେ ତିର୍ତ୍ତୋଲର ଏକ ଘଟଣା ଏବେ ସାମ୍ନାକୁ ଆସିଛି। ୪୦ ଦିନ ହେଲା ଘରୁ ନିଖୋଜ ହୋଇ ଯାଇଥିବା ଜଣେ ୧୫ ବର୍ଷୀୟା ନାବାଳିକାଙ୍କର ପତ୍ତା ମିଳିପାରୁ ନାହିଁ। ନାବାଳିକାଙ୍କର ଯେଉଁ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା ତାଙ୍କୁ ପୁଲିସ ଖୋଜି ଖୋଜି ବେଙ୍ଗାଲୁରୁରେ ପହଞ୍ଚିଥିଲେ ମଧ୍ୟ ନାବାଳିକା ସମ୍ପର୍କରେ ସାମାନ୍ୟତମ ସୁରାକ୍ ମିଳିପାରି ନାହିଁ। ନିଖୋଜ ଝିଅ ଏବେ କେମିତି ଅବସ୍ଥାରେ ରହିଛି ସେ କଥା ତାକୁ ନେଇ ଏବେ ନାବାଳିକାଙ୍କ ପରିବାର ଲୋକ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନାବାଳିକାଙ୍କ ଘର ତିର୍ତ୍ତୋଲ ଥାନା କ୍ରିଷ୍ଣାନନ୍ଦପୁର ଅଞ୍ଚଳରେ। ସେ ଦଶମ ଶ୍ରେଣୀରେ ପାଠ ପଢନ୍ତି। ଗତବର୍ଷ ଡିସେମ୍ବର ୨୦ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଘର ଠାରୁ ମାତ୍ର ୧୦ ହାତ ଦୂରରେ ଥିବା ବାଥରୁମକୁ ଯାଇ ହଠାତ୍ ନିଖୋଜ ହୋଇ ଯାଇଥିଲେ। ଘରକୁ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ଝିଅର ପତ୍ତା ପାଇ ନ ଥିଲେ। ପାଖ ଗାଁରେ ଜଣେ ଯୁବକଙ୍କ ସହ ଝିଅର ପ୍ରେମ ସମ୍ପର୍କ ଥିଲା ଓ ସେ ତାକୁ ନେଇ ଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଯୁବକ ବେଙ୍ଗାଲୁରୁରେ ଏକ କମ୍ପାନୀରେ ଚାକିରି କରୁଥିବା ପୁଲିସ ଜାଣିବାକୁ ପାଇଥିଲେ। ଏହା ପୂର୍ବରୁ ଗତବର୍ଷ ଜୁନ୍ ୨୬ ତାରିଖରେ ଝିଅ ସମ୍ପୃକ୍ତ ସହ ଯାଇଥିଲେ। କଟକ ରେଳ ଷ୍ଟେସନରେ ଝିଅ ଥିବା ବେଳେ ଯୁବକ ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ। ପରିବାର ଲୋକ ରେଳ ଷ୍ଟେସନରେ ପହଞ୍ଚି ଝିଅକୁ ଉଦ୍ଧାର କରିଥିଲେ। ଗତ ଅକ୍ଟୋବର ୪ ତାରିଖରେ ମଧ୍ୟ ସମ୍ପୃକ୍ତ ଯୁବକ ନାବାଳିକାଙ୍କୁ ନେବା ପାଇଁ ଫୋନରେ କଥାବାର୍ତ୍ତା କରିଥିବା ନେଇ ପରିବାର ଲୋକ ରେକର୍ଡିଂ ପାଇଛନ୍ତି। ଏ ସବୁ ଘଟଣା ପୁଲିସକୁ ଜଣାଇବା ସହ ଯୁବକଙ୍କ ଫୋନ ନମ୍ବର ଦେଇଥିଲେ। ପୁଲିସ ଚଳିତମାସ ପ୍ରଥମ ସପ୍ତାହରେ ବେଙ୍ଗାଲୁରୁ ଯାଇ ସମ୍ପୃକ୍ତ ଯୁବକକୁ ଧରି ଜଗତସିଂହପୁର ଆସିଥିଲା। ପଚରାଉଚରା ପରେ ନାବାଳିକାଙ୍କ ସମ୍ପର୍କରେ ତା ଠାରୁ କୌଣସି ସୂଚନା ପାଇ ପାରି ନାହିଁ ପୁଲିସ।

ଏଠାରେ ପ୍ରଶ୍ନ ଉଠୁଛି ଯଦି ସମ୍ପୃକ୍ତ ଯୁବକଙ୍କ ପାଖକୁ ନାବାଳିକା ଯାଇ ନାହାନ୍ତି ତାହାଲେ ଗଲେ କୁଆଡେ? ସମ୍ପୃକ୍ତ ଯୁବକଙ୍କ ପାଖକୁ ଯିବା ପାଇଁ ବାହାରିଥିବା ବେଳେ ଅନ୍ୟ କେଉଁ ଆଡେ ନିଖୋଜ ହୋଇ ଯାଇନାହାନ୍ତି ତ? ଆଉ କେହି ତାଙ୍କୁ ଅପରହରଣ କରି ନେଇଛି କି? ନାବାଳିକା ଏବେ କେଉଁଠି ଅଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଥିବା ବେଳେ ନାବାଳିକାଙ୍କୁ ଠାବ କରିବା ପୁଲିସ ପାଇଁ ଚାଲେଞ୍ଜ ହୋଇ ପଡିଛି। ଘଟଣାର ତଦନ୍ତ ଜାରି ରହିଥିବା ତିର୍ତ୍ତୋଲ ଥାନାଧିକାରୀ ଭାବଗ୍ରାହୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର