ଭୁବନେଶ୍ବର : ରାଜ୍ୟରେ ନାବାଳିକା ଦୁଷ୍କର୍ମ ମାମଲା ବଢ଼ି ଚାଲିଛି। ଚଳିତ ବର୍ଷ ପ୍ରଥମ ୬ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬୦୪ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି। ଆଜି ବିଧାନସଭାରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ତଥ୍ୟ ପ୍ରଦାନ କରିଛନ୍ତି।
ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ପ୍ରଶ୍ନ ଥିଲା, ଏକ ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାର ଗତ ଜୁଲାଇ ମାସରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ଚଳିତ ବର୍ଷ ପ୍ରଥମ ୬ ମାସରେ ଓଡ଼ିଶାରେ ୧୧୦୫ଟି ନାବାଳିକା ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ଗତ ଜୁଲାଇରେ ବିଧାନସଭାରେ ଉପସ୍ଥାପିତ ସ୍ବରାଷ୍ଟ୍ର ବିଭାଗ ଶ୍ବେତପତ୍ରରେ ରାଜ୍ୟରେ ଦୈନିକ ହାରାହାରି ୭ଟି ଦୁଷ୍କର୍ମ ମାମଲା ଘଟୁଥିବା ବେଳେ ସେମାନଙ୍କ ମଧ୍ୟରେ ୫.୫୮ ଜଣ ନାବାଳିକା। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୬.୧। ଯାହା ଅତ୍ୟନ୍ତ ଉଦବେଗଜନକ। ନାବାଳିକା ଦୁଷ୍କର୍ମ ମାମଲାର ତ୍ବରିତ ବିଚାର ନିମନ୍ତେ ପ୍ରତି ଜିଲ୍ଲାରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ସ୍ଥାପନ ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଥିବା ବେଳେ ଏ ଦିଗରେ କ’ଣ ଅଗ୍ରଗତି ଘଟିଛି ?
ମନ୍ତ୍ରୀ ଶ୍ରୀ ମିଶ୍ର ଉତ୍ତରରେ ଦର୍ଶାଇଥିଲେ ଯେ ୨୦୧୮ ମସିହାରେ ୨୫୦୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଏଥିରେ ୧୪୩୦ ଜଣ ନାବାଳିକା ଅଛନ୍ତି। ସେହିପରି ୨୦୧୯ ଜୁନ ମାସ ସୁଦ୍ଧା ୧୧୪୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସେଥି ମଧ୍ୟରେ ୬୦୪ ଜଣ ନାବାଳିକା। ୨୦୧୮ ମସିହାରେ ୧୦୭୩ଟି ଦୁଷ୍କର୍ମ ମାମଲାର ବିଚାର ରାଜ୍ୟର ବିଭିନ୍ନ କୋର୍ଟରେ ହୋଇଥିଲା। ଯେଉଁଥିରେ ୧୯୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ୮୭୬ ଜଣ ନିର୍ଦୋଷରେ ଖଲାସ ହୋଇଥିଲେ। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୧୮.୩୫ ପ୍ରତିଶତ।
ସେହିପରି ରାଜ୍ୟ ସରକାର ପୋକ୍ସୋ ମାମଲାଗୁଡିକର ବିଚାର ନିମନ୍ତେ ୨୪ଟି ସ୍ବତନ୍ତ୍ର କୋର୍ଟ ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗଡ଼ା, କଳାହାଣ୍ଡି, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଧା, କୋରାପୁଟ, ମୟୁରଭଞ୍ଜ, ନବରଙ୍ଗପୁର, ନୟାଗଡ଼, କନ୍ଧମାଳ, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ଠାରେ ସ୍ଥାପନ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଆଉ ୨୧ଟି ସ୍ବତନ୍ତ୍ର କୋର୍ଟ ଖୋଲିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।
ଅନ୍ୟପକ୍ଷରେ ବିଧାୟକ ନାଉରୀ ନାୟକ ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ ୨୦୦୯ ମସିହାରୁ ୨୦୧୯ ମସିହା( ଜୁନ୍ ସୁଦ୍ଧା) ମଧ୍ୟରେ କେତେ ହତ୍ୟା, ଦୁଷ୍କର୍ମ ଓ ଡକାୟତି ମାମଲା ରୁଜୁ ହୋଇଛି। ବିଧାୟକ ଶ୍ରୀ ନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର ତଥ୍ୟ ରଖିଥିଲେ କି ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୧୫,୦୧୨ଟି ହତ୍ୟାକାଣ୍ଡ, ୧୯,୪୮୮ ଦୁଷ୍କର୍ମ, ୫୫୭୪ଟି ଡକାୟତି ମାମଲା ରୁଜୁ ହୋଇଛି।