ମୁମ୍ବାଇରେ ସୁନ୍ଦରଗଡ଼ ନାବାଳିକା; ଉଦ୍ଧାର ପାଇଁ ମଜୁରିଆ ବାପାଙ୍କ ଆକୁଳ ନିବେଦନ

ହାତ ବାନ୍ଧି ବସିଛି ଶିଶୁ ସୁରକ୍ଷା ୟୁନିଟ

ସୁନ୍ଦରଗଡ଼: ମାନବ ଚାଲାଣରେ ସୁନ୍ଦରଗଡ଼ର ରେକର୍ଡ ରହିଛି। ମଣିଷ ଦଲାଲମାନେ ନିଯୁକ୍ତି ଓ ଭଲ ରୋଜଗାରର ଲୋଭ ଦେଖାଇ ଗରିବ ଓ ସରଳ ପରିବାରର ଯୁବକଯୁବତୀମାନଙ୍କୁ, ବିଶେଷ କରି ନାବାଳିକାଙ୍କୁ ବାହାର ରାଜ୍ୟକୁ ଚାଲାଣ କରି ବିଭିନ୍ନ ଅନୈତିକ କାମରେ ନିୟୋଜିତ କରୁଥିବାର ଅନେକ ଦାରୁଣ  ନଜିର ରହିଛି। ଏବେ ସୁନ୍ଦରଗଡ଼ ଟାଉନଥାନା ଅଞ୍ଚଳରୁ ସେପରି ଏକ ସମ୍ବେଦନଶୀଳ ଅଭିଯୋଗ ସାମ୍ନାକୁ ଆସିଛି। ଅଗଷ୍ଟ ୧୦ ତାରିଖରେ ପରିବାର ଲୋକଙ୍କ ଅଗୋଚରରେ ୧୭ ବର୍ଷର ଏକ ଝିଅକୁ ଜଣେ ମହିଳା ବାହାର ରାଜ୍ୟକୁ ନେଇ ଯାଉଥିବା ବେଳେ ଘଟଣାକ୍ରମରେ ସେ ମୁମ୍ବାଇ ଆରପିଏଫ ଦ୍ବାରା ଉଦ୍ଧାର ହୋଇ ଏକ ଶିଶୁ ଗୃହରେ  ଥିବା ଜଣାପଡ଼ିଛି।

ମୁମ୍ବାଇରୁ ଝିଅକୁ ଉଦ୍ଧାର କରି ଆଣିବାକୁ ମଜୁରିଆ ବାପା  ଥାନା ଠାରୁ ସୁନ୍ଦରଗଡ଼ ଶିଶୁ ସୁରକ୍ଷା ୟୁନିଟ ଯାଏ ଗୁହାରି କରି ଚାଲିଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବାପାଙ୍କ ଅଭିଯୋଗ ପରେ ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ମୁମ୍ବାଇ ୟୁନିଟ ସହ କଥା ହୋଇ ନିଜ ଦାୟିତ୍ବ ସାରି ଦେଇଛନ୍ତି।  ନାବାଳିକାକୁ ସୁନ୍ଦରଗଡ଼ ପହଞ୍ଚାଇବା ଦାୟିତ୍ବ ମୁମ୍ବାଇ ଶିଶୁ ସୁରକ୍ଷା ୟୁନିଟର କହି ସୁନ୍ଦରଗଡ଼ ୟୁନିଟ ହାତରେ ହାତ ବାନ୍ଧି ବସିଯାଇଛି। ଟାଉନଥାନାରେ ରୁଜୁ ମାମଲା ଅନୁସାରେ, ଘର ମିସ୍ତ୍ରି  ଭାବେ ଗୁଜୁରାଣ ମେଣ୍ଟାଉଥିବା  ବ୍ୟକ୍ତିଙ୍କ କଲେଜ ପଢ଼ୁଥିବା ନାବାଳିକା ଝିଅ ଗତ ଅଗଷ୍ଟ ୧୦ ତାରିଖ ସକାଳ ସାଢ଼େ ୭ଟାରେ ପାଖ ସମ୍ପର୍କୀୟ ଘରକୁ ଯାଉଛି କହି ବାହାରି ଯାଇ ଫେରି ନଥିଲେ। ଗରିବ ବାପାମା ଭାଙ୍ଗି ପଡ଼ିଲେ।

ତେବେ ଦୁଇ ଦିନ ପରେ  ୧୨ ତାରିଖରେ ବାପାଙ୍କ ପାଖକୁ ମୁମ୍ବାରଇରୁ ଏକ କଲ୍ ଆସିଥିଲା। ଜଣେ ମହିଳା  ନିଜକୁ ମୁମ୍ବାଇ ରେଳ ଷ୍ଟେସନ ପାର୍ଶ୍ବ ପୁରୁଣା ଜେଲ ରୋଡ୍ ହବିବ ହସ୍ପିଟାଲ ପାଖ  ଡୁଙ୍ଗରି ଶିଶୁ ଗୃହ ପରିଚାଳିକା ପରିଚୟରେ ଝିଅଟି ସମ୍ପର୍କରେ ସୂଚନା ଦେଇ ତାଙ୍କ ପାଖରେ ସୁରକ୍ଷିତ ଥିବା ପ୍ରକାଶ କରିଥିଲେ। ଘର ଲୋକେ ମୁମ୍ବାଇ ଆସି ଉପଯୁକ୍ତ ପ୍ରମାଣ ସହ ଝିଅକୁ ନେଇଯିବାକୁ କହିଥିଲେ। ଏହା ସହ ବାପା ମଧ୍ୟ ଝିଅ ସହ କଥା ହୋଇଥିଲେ। ନାନୀ ସହ ମୁମ୍ବାଇ ଆସୁଥିବା ବେଳେ ପୁଲିସ ଧରିଥିଲା ବୋଲି ଝିଅ କହିଥିଲେ ମଧ୍ୟ ନାନୀର ପରିଚୟ ଦେଇ ନଥିବା ବାପା  କହିଛନ୍ତି। ଝିଅକୁ ଉଦ୍ଧାର ପାଇଁ ସେ ୟାକୁ ତାକୁ ସହଯୋଗ ମାଗି ନିରାଶ ହେବା ପରେ  ଶେଷକୁ ସେ ଟାଉନଥାନାରେ ଗତ ଅଗଷ୍ଟ ୨୩ରେ ବିଧିବଦ୍ଧ ଭାବେ ଅଭିଯୋଗ କରିବା ସହ  ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଭେଟି ଝିଅକୁ ମୁମ୍ବାଇରୁ ଉଦ୍ଧାର କରି ଆଣିଦେବାକୁ ନେହୁରା ହୋଇଥିଲେ। କିନ୍ତୁ ବିଡ଼ମ୍ବନା, ଅଭିଯୋଗକୁ ୧୪ ଦିନ ବିତିଯିବା ପରେ ମଧ୍ୟ  ଝିଅକୁ ମୁମ୍ବାଇରୁ ଆଣିବା ନେଇ ଶିଶୁ ସୁରକ୍ଷା ୟୁନିଟ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନାଙ୍କୁ ପଚାରିବାରୁ ସେ ‘ନିୟମ ଅନୁସାରେ ମୁମ୍ବାଇ ୟୁନିଟ ହିଁ ଝିଅକୁ ସୁନ୍ଦରଗଡ଼ ପହଞ୍ଚାଇବା କଥା, କିନ୍ତୁ ସେମାନେ ଆମକୁ ଆସି ନେଇଯିବାକୁ କହୁଛନ୍ତି। ଆମେ ମୁମ୍ବାଇ ଯିବା ଲମ୍ବା ପ୍ରକ୍ରିୟା’ ବୋଲି କହିଥିଲେ।  ଏପରି ଏକ ସମ୍ବେଦନଶୀଳ ମାମଲାରେ ଶିଶୁ ସୁରକ୍ଷା ୟୁନିଟର ବେପରୱା ଆଚରଣ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର