ଅପରାଧ ଦୁନିଆରେ ପାଦ ଥାପୁଛନ୍ତି ନାବାଳକ; ୩ ବର୍ଷରେ ୧୦୨ଜଣଙ୍କ ସମ୍ପୃକ୍ତି

ଟଙ୍କା ଲୋଭ ଓ କୁସଙ୍ଗ ବିପଥଗାମୀର କାରଣ

ବ୍ରହ୍ମପୁର: କ୍ରାଇମ୍‌ ସିଟି ବ୍ରହ୍ମପୁରର ଅପରାଧ ପୃଷ୍ଠଭୂମିରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନାମ ରହିଛି। ଅପରାଧୀ ମାନେ ନିଜକୁ ଭାଇ ପରିଚୟ ଦେଇ ନିଜର ଗ୍ୟାଙ୍ଗ୍‌ ଗଠନ କରି ଗୋଟିଏ ପରେ ଗୋଟିଏ ଘଟଣା ଘଟାଇଛନ୍ତି, ଯାହାକି ବ୍ରହ୍ମପୁର ସହରର ଗତ ୪ ଦଶନ୍ଧିର ଇତିହାସକୁ ଦେଖିଲେ ସ୍ପଷ୍ଟ ବାରି ହୋଇଯିବ। ଏହି ତଥାକଥିତ ଭାଇମାନେ ପୁଲିସ ପାଇଁ ମୁଣ୍ତବ୍ୟଥାର କାରଣ ସାଜିଥିଲେ। ସମୟକ୍ରମେ ପୁଲିସ ଯୋଜନାବଦ୍ଧ ଭାବେ ଏଭଳି ଭାଇ ମାନଙ୍କୁ କାବୁ କରିବା ସହ ଅପରାଧ ରୋକିବାରେ ସାମାନ୍ୟ ସଫଳ ହୋଇଛି। କିଛି ଅପରାଧୀ ଏନ୍‌କାଉଣ୍ଟର୍‌ରେ ପଡ଼ିଥିବା ବେଳେ କିଛି ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗ୍‌ଵାର‌୍‌ର ଶିକାର ହୋଇଛନ୍ତି। ପେସାଦାର ଅପରାଧୀଙ୍କ ପରେ ଏହି ଅପରାଧ ଦୁନିଆଁରେ ପାଦ ଥାପୁଛନ୍ତି ନାବାଳକ। ଅପରାଧ ଦୁନିଆଁରେ ନାବାଳକଙ୍କ ସଂପୃକ୍ତି ଯେତିକି ସ୍ପର୍ଶକାତର ତା’ଠାରୁ ଅଧିକ ଚିନ୍ତାର କାରଣ ହୋଇପଡିଛି।

ମିଳିଥିବା ସୂଚନା ଅନୁସାରେ ଗତ ୧୫ବର୍ଷ ମଧୢରେ ବହୁ ନାବାଳକ ଅତ୍ୟନ୍ତ ଜଘନ୍ୟ କାଣ୍ତ ଘଟାଇଛନ୍ତି। ଏପରିକି ହତ୍ୟା କରିବାକୁ ମଧ୍ୟ ସେମାନେ ପଛାଇ ନାହାନ୍ତି। ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ଯାଇ ଟଙ୍କା ଲୋଭରେ ପଡ଼ି ଏମାନେ ଶେଷରେ ଅପରାଧ କରିବାର ରାସ୍ତା ବାଛି ନେଉଛନ୍ତି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି। ଗତ ୨୦୧୮ରୁ ୨୦୨୦ ଅର୍ଥାତ୍ ୩ବର୍ଷ ମଧୢରେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୧୦୨ଜଣ ନାବାଳକ ବିଭିନ୍ନ ଅପରାଧ ମାମଲାରେ ଧରା ପଡ଼ିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ClipartKey

ଲୋଭ ହେଉଛି ମନୁଷ୍ୟର ବଡ଼ ଶତ୍ରୁ। ଏଭଳି ଲୋଭର ଶିକାର ହେଉଛନ୍ତି ନାବାଳକ। ସହରରେ ପାଠପଢ଼ି ଚାକଚକ୍ୟ ଦୁନିଆଁରେ ବଞ୍ଚିବା ପାଇଁ ସ୍ବପ୍ନ ଦେଖୁଛନ୍ତି ସେହି ନାବାଳକ। ରାତିରେ ଦେଖୁଥିବା ସ୍ବପ୍ନ ସକାଳୁ କିଭଳି ପୂରଣ ହେବ ସେହି ଚିନ୍ତାରେ ରହୁଛନ୍ତି। ପରିଣାମ ସ୍ବରୂପ ଜାଣତରେ ହେଉ କି ଅଜାଣତରେ ହେଉ କମ୍‌ ବୟସରେ ହିଁ ସେମାନେ ଅପରାଧ ରାସ୍ତାରେ ପଡ଼ି ଯାଉଛନ୍ତି। ନିଜର ହିତାହିତ ଜ୍ଞାନକୁ ଭୁଲି ଅମାନୁଷିକ କାଣ୍ତ ଘଟାଇବାକୁ ବି ପଛାଉ ନାହାନ୍ତି। ଯେଉଁ ବୟସରେ ନିଜ ହାତରେ ନିଜର ସୁନେଲି ଭବିଷ୍ୟତ ଗଢ଼ିବାର ସମୟ, ସେହି ବୟସରେ ହାତରେ ଧରୁଛନ୍ତି ମାରଣାସ୍ତ୍ର। ମୋବାଇଲ, ସ୍ପିଡ୍‌ ବାଇକ୍‌ ଚଢ଼ିବା ଆଶା କିପରି ପୂରଣ ହେବ ସେ ଚିନ୍ତାରେ ରହୁଛନ୍ତି। ତା’ ସାଙ୍ଗକୁ ଘାରୁଛି ଟଙ୍କା ଲୋଭ, କ୍ରିକେଟ ବେଟି˚ ସାଂଗକୁ ନିଶା। ଗରିବଠୁ ଆରମ୍ଭ କରି ମଧ୍ୟ ବିତ୍ତ ଓ ଧନୀ ବର୍ଗର ନାବାଳକ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ବିଗତ କିଛି ବର୍ଷ ମଧ୍ୟରେ ବ୍ରହ୍ମପୁର ସହରରେ ଏଭଳି ନାନା ଘଟଣା ସାମ୍ନାକୁ ଆସିଛି।

ଗତ ୨୦୧୪ରେ କମାପଲ୍ଲୀ ରାମନଗରରେ ଜନୈକା ମହିଳାଙ୍କୁ ହତ୍ୟା ଘଟଣାରେ ଜଣେ ନାବାଳକ ପୁଲିସ ହାତରେ ପଡ଼ିଥିଲା। ଆଇପିଏଲ୍‌ ବେଟି˚ରେ ଟଙ୍କା ହାରି ଯାଇଥିବାରୁ ଲୁଟ୍‌ ଉଦ୍ଦେଶ୍ୟରେ ନାବାଳକ ଜଣକ ଏହି ଜଘନ୍ୟ କାଣ୍ତ ଘଟାଇଥିବା ପୁଲିସ ଜାଣିବାକୁ ପାଇଥିଲା। ସେହିପରି ୨୦୧୬ରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କୋର୍ଟପେଟା ଜଗନ୍ନାଥ ମନ୍ଦିର ଚୋରି ଘଟଣାରେ ପୁଲିସ ମାଷ୍ଟରମାଇଣ୍ଡ ଥିବା ରିକ୍ସା ଚାଳକ ସମେତ ୫ଜଣ ନାବାଳକଙ୍କୁ ଧରିଥିଲା। ଠିକ୍‌ ସେହିପରି ନୂଆବସଷ୍ଟାଣ୍ତ ରୋଡ଼ ଭାବାନଗର ଛକରେ ବାଇକ୍‌ରେ ଯାଉଥିବା ୩ଜଣ ନାବାଳକ ଟ୍ରକ୍‌ ଡ୍ରାଇରଭର‌୍‌ଙ୍କୁ ଆକ୍ରମଣ କରି ଲୁଟ୍‌ କରିଥିଲେ। ଗତ ଡ଼ିସେମ୍ବର ୨୦ତାରିଖରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗିର ଏକ ବାଇକ୍‌ ସୋ’ ରୁମ୍‌ରୁ ୩ଲକ୍ଷ ଟଙ୍କା ଚୋରି ଘଟଣାରେ ପୁଲିସ ଦୁଇଜଣ ନାବାଳକଙ୍କୁ ଧରିଥିଲା। ଡିସେମ୍ବର ୩୧ତାରିଖ ରାତି ‌ଜିରୋ ନାଇଟ୍‌ରେ ସଦର ଥାନା ମସିହାଖାଲି ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ମଧ୍ୟ ପୁଲିସ ଦୁଇଜଣ ନାବାଳକଙ୍କୁ ଧରିଥିଲା। ଅନ୍ୟପଟେ ସଦର ଥାନା ମହୁରୀକାଳୁଆ ଛକ ନିକଟରେ ଗତ ୧୩ତାରିଖରେ ରବି ପ୍ରଧାନ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମଧ୍ୟ ପୁଲିସ ୫ଜଣ ନାବାଳକଙ୍କୁ ଧରିଥିଲା।

ଏହି ସମସ୍ତ ଘଟଣା ଉପରେ ନଜର ପକାଇଲେ ସ୍ପଷ୍ଟ ହେଉଛି ଯେ ଦୁଇଟି କାରଣରୁ ନାବାଳକ ମାନେ ଅପରାଧର ରାସ୍ତା ଆପଣେଇ ନେଉଛନ୍ତି। ଗୋଟିଏ ହେଲା କୁସ˚ଗ ଓ ଅନ୍ୟଟି ହେଲା ବିନା ପରିଶ୍ରମରେ ଟଙ୍କା ଉପାର୍ଜନର ଲୋଭ। ଗତ ୨୦୧୮ରେ ମୋଟ ୧୯ଟି ମାମଲାରେ ୨୨ଜଣ ନାବାଳକ ଧରା ପଡ଼ିଥିବା ବେଳେ ୨୦୧୯ରେ ୩୮ଟି ମାମଲାରେ ୪୧ଜଣ ଓ ୨୦୨୦ରେ ୩୧ଟି ମାମଲାରେ ୩୯ଜଣ ଧରାପଡ଼ିଛନ୍ତି। ନାବାଳକଙ୍କୁ ଅପରାଧ ଠାରୁ ନିବୃତ୍ତ ରଖିବା ପାଇଁ ସେମାନଙ୍କୁ ସଠିକ୍ ମାର୍ଗଦର୍ଶନ କରି ତାଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏ ଦିଗରେ ସମସ୍ତେ ଯତ୍ନବାନ ହେବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର