ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଦୌରାଜଜ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ୩ଲକ୍ଷ ଫେରାଇବେ ଅଭିଯୋଗକାରିଣୀ

ଜୟପୁର : ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଦାଲତଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିବାରୁ ଅଭିଯୋଗକାରିଣୀ ପାଇଥିବା ସରକାରୀ ଅନୁକମ୍ପା ରାଶି ଫେରାଇବା ପାଇଁ ଜୟପୁର ଫାଷ୍ଟଟ୍ରାକ୍‌ ସ୍ବତନ୍ତ୍ର ଅଦାଲତର ଆଡହକ୍ ଅତିରିକ୍ତ ଦୌରାଜଜ୍ ପ୍ରଦୀପ କୁମାର ସାସମଲ ନିର୍ଦ୍ଦେଶ ଦେଇଛନ୍ତି। ରାୟ ଅନୁସାରେ ଅଭିଯୋଗକାରିଣୀ ଟଙ୍କା ଫେରାଇଲେ ସରକାରୀ ଖାତାକୁ ଯିବ ବୋଲି ଜଣାପଡିଛି।

ମାମଲାର ବିବରଣୀ ଅନୁଯାୟୀ, ୨୦୧୮ ମସିହା ଅକ୍ଟୋବର ୩୧ ତାରିଖରେ ଜୟପୁର ଟାଉନ ଥାନାରେ ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ନେଇ ଲିଖିତ ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ମା ଏହି ଏତଲା ଦେଇଥିବା ବେଳେ ଜୟପୁର ଟାଉନ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ସଂଗିନ୍‌ ଦଫା ଲଗାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା। ଅଭିଯୁକ୍ତ ବିରୋଧରେ ପୁଲିସ ଚାର୍ଜସିଟ୍ ଦାଖଲ କରିବା ପରେ ଜୟପୁର ଫାଷ୍ଟଟ୍ରାକ୍‌ ସ୍ବତନ୍ତ୍ର ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିଲା। ଶୁଣାଣି ସମୟରେ ଅଭିଯୋଗକାରିଣୀ ଏବଂ ତାଙ୍କ ପରିବାର ଥାନାରେ କରିଥିବା ଅଭିଯୋଗକୁ କୋର୍ଟରେ ଅସ୍ବୀକାର କରିଥିଲେ। ଯାହାଫଳରେ ପ୍ରମାଣ ତଥା ସାକ୍ଷ୍ୟ ଅଭାବରୁ ଅଭିଯୁକ୍ତ ନି‌ର୍ଦ୍ଦୋଷରେ ଖଲାସ ହୋଇଥିଲେ। ସେହିପରି ଅଭିଯୋଗକାରିଣୀଙ୍କ ପକ୍ଷରୁ ମାମଲା ଲଢ଼ି ସରକାରଙ୍କୁ ହାରିବାକୁ ପଡ଼ିଥିଲା।

ଅନ୍ୟପକ୍ଷରେ ପୁଲିସ ଘଟଣାର ତଦନ୍ତ କରିବା ସମୟରେ ଅନୁକମ୍ପା ରାଶି ପ୍ରଦାନ କମିଟି ଅଭିଯୋଗକାରିଣୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲା। ତେଣୁ କୋରାପୁଟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନ୍ତରୀଣ ଭାବେ ୩ଲକ୍ଷ ଟଙ୍କା ଅଭିଯୋଗକାରିଣୀଙ୍କୁ ପ୍ରଦାନ କରିଥିଲେ। ତେବେ ଅଭିଯୋଗକାରିଣୀ ସରକାରୀ ସହାୟତା ନେଇ ପରବର୍ତ୍ତୀ ସମୟରେ ନିଜ ବୟାନରୁ ଓହରିଯିବା ପରସ୍ପର ଆଇନ ଅନୁଯାୟୀ ବିରୋଧୀ। ତେଣୁ ଏ ନେଇ ସରକାରୀ ଓକିଲ ଡ. ଗାୟତ୍ରୀ ଦେବୀ ଗତ ଏପ୍ରିଲ ମାସ ୨୭ ତାରିଖରେ ଅଭିଯୋଗକାରିଣୀଙ୍କ ଠାରୁ ଅନୁକମ୍ପା ରାଶି ଫେରସ୍ତ କରିବାକୁ ‌କୋର୍ଟରେ ପିଟିସନ ଦାଖଲ କରିଥିଲେ। ଏହାର ବିଚାରଣା କରି ମାନ୍ୟବର ଅଦାଲତ ଓଡ଼ିଶା ପୀଡ଼ିତା ଅନୁକମ୍ପା ଯୋଜନା, ଜାତୀୟ ଆଇନସେବା ପ୍ରାଧିକରଣ ଅନୁକମ୍ପା ଯୋଜନା ଓ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଭିତ୍ତି କରି ଏହାକୁ ଗୁରୁତ୍ବ ଦେଇ ଅଭିଯୋଗକାରିଣୀଙ୍କ ପରିବାର ଠାରୁ ୩ ଲକ୍ଷ ଟଙ୍କା ଆଦାୟ କରିବାକୁ ଜିଲ୍ଲା ଆଇ‌ନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର