ସୋର: ବାଲେଶ୍ବର ଜିଲ୍ଲାର ଜଳେଶ୍ବର, ଭୋଗରାଇଠାରୁ ସୋର ଯାଏଁ ବେଆଇନ ଲଘୁ ଖଣିଜ କାରବାର ଚାଲିଛି। ବିଭିନ୍ନ ସମୟରେ ଚଢ଼ଉ କରାଯାଉଥିଲେ ମଧ୍ୟ ଚୋରା ଚାଲାଣ ରୋକିବାରେ ପ୍ରଶାସନ ସଫଳ ହୋଇପାରୁ ନାହିଁ। ଓଲଟା ପ୍ରାଶାସନିକ ଅଧିକାରୀଙ୍କ ଉପରେ ମାଫିଆମାନେ ୨୪ ଘଣ୍ଟିଆ ନଜର ରଖୁଛନ୍ତି। ଅଧିକାରୀଙ୍କ ଗତିବିଧି ଜାଣିବା ପାଇଁ ମାସିକିଆ ଦରମା ଭିତ୍ତିରେ ଯୁବକମାନଙ୍କୁ ନିଯୁକ୍ତି ଦିଆଯାଉଛି। ପ୍ରାଶାସନିକ ଅଧିକାରୀ ଡାଳେଡାଳେ ଗଲେ ମାଫିଆମାନେ ପତ୍ରେପତ୍ରେ ଯାଉଛନ୍ତି। ଫଳରେ ମାଫିଆଙ୍କ ଭୟରେ ସରକାରୀ ଅଧିକାରୀମାନେ ଚୁପ୍ ରହିବାକୁ ଉଚିତ ମଣୁଛନ୍ତି।
ମାସିକିଆ ଦରମା ଭିତ୍ତିରେ ନିଯୁକ୍ତି ଦେଉଛନ୍ତି ମାଫିଆ
ଉଦାହରଣ ସ୍ବରୂପ ସୋରର ଖଞ୍ଜାମହାଲ ପଥର ଖାଦାନ। ଗତ ୨ବର୍ଷରୁ ଅଧିକ ଦିନ ଧରି ଏହି ପଥର ଖାଦାନ ନିଲାମ ବନ୍ଦ ଅଛି। ମାତ୍ର, ଦିନରାତି ସବୁ ସମୟରେ ବେଆଇନ ବିସ୍ଫୋରଣ ସହ ପଥର ଚାଲାଣ ଚାଲୁଛି। ଏହାଛଡ଼ା ମାଟି, ମୋରମ୍ ଓ ବାଲି ଆଦି ଚାଲାଣ କରାଯାଉଛି। ତେବେ ଏଥିରେ ରୋକ୍ ଲାଗିପାରୁ ନାହିଁ। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ମାଫିଆମାନେ କିଛି ଯୁବକଙ୍କୁ ମାସିକିଆ ଦରମା ଦେଇ ରଖିଛନ୍ତି। ଏହି ଯୁବକମାନେ ତହସିଲ କାର୍ଯ୍ୟାଳୟ, ପୁଲିସ ଥାନା ସମ୍ମୁଖ, ବରଫକଳ ଛକ, ମାଟିଆପଲା ଛକ, କଲେଜ ଛକ, ବିଦୁ ଛକ ଆଦି ସ୍ଥାନରେ ପାଳି କରି ପହାର ଦେଉଛନ୍ତି। ଅଧିକାରୀମାନଙ୍କ ପ୍ରାତଃ ଭ୍ରମଣଠାରୁ ଆରମ୍ଭ କରି ଶୋଇବାକୁ ଯିବା ପର୍ଯ୍ୟନ୍ତ ସବୁକିଛି ଉପରେ ତୀକ୍ଷ୍ଣ ନଜର ରଖୁଛନ୍ତି।
ଗତ ୨୮ ତାରିଖ ରାତିରେ ସୋର ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଜଣେ ଯୁବକ ପିଛା କରିଥିଲେ। ଅତିରିକ୍ତ ତହସିଲଦାର ଗାଡ଼ି ଅଟକାଇ ଏହି ଯୁବକ ଜଣକୁ ସୋର ପୁଲିସକୁ ହସ୍ତାନ୍ତର କରିଥିଲେ। ଏହିପରି ଅନେକ ଥର ତହସିଲଦାର, ଖଣି ଅଧିକାରୀଙ୍କ ଉପରେ ମାଫିଆମାନେ ନଜର ରଖୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏବେ ଥାନା ଅଧିକାରୀଙ୍କ ଉପରେ ବି ସେମାନେ ନଜର ରଖୁଥିବା ଜଣାପଡ଼ିଛି। ଫଳରେ, ଆଗଭଳି ଆଉ ବେଆଇନ ପଥର ଗାଡ଼ିକୁ ଜବତ କରିବାରେ ପୁଲିସ ସଫଳ ହୋଇପାରୁ ନାହିଁ। ଏଭଳି ପରିସ୍ଥିତିରେ ପ୍ରାଶାସନିକ ଅଧିକାରୀ ମୁହଁ ଖୋଲି କହୁନଥିଲେ ମଧ୍ୟ ଏକପ୍ରକାର ଅସହାୟ ମନେ କରୁଛନ୍ତି। ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।