ବହୁଚର୍ଚ୍ଚିତ ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ମାମଲା: ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସର ତଦନ୍ତ ଆରମ୍ଭ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ଘଟଣାର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ। ଲୋକାୟୁକ୍ତ ନିର୍ଦ୍ଦେଶରେ କଟକ ଭିଜିଲାନ୍ସ ଏହି ବହୁଚର୍ଚ୍ଚିତ ଘଟଣାର ତଦନ୍ତ କରୁଛି।

ଭିଜିଲାନ୍ସ ଇନସ୍‌ପେକ୍ଟର ବ୍ରଜକିଶୋର ସାହୁଙ୍କ ନେତୃତ୍ବରେ ଆସିଥିବା ଟିମ୍‌ ଗତକାଲି ଏଠାରେ ପହଞ୍ଚିବା ପରେ ମାଲକାନଗିରି ଏବଂ ମୋଟୁ ତହସିଲ କାର୍ଯ୍ୟାଳୟରେ ଖୋଳତାଡ଼ କରିଛନ୍ତି। ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିବା ଆଇନଜୀବୀ ନୃସିଂହ ଚରଣ ମହାନ୍ତିଙ୍କ ବୟାନ ସଂଗ୍ରହ କରିଛନ୍ତି। ସେହିପରି, ଖଣି ଲିଜ୍‌ ପାଇଁ ଆବେଦନ କରିଥିବା ପ୍ରଭାକର ପ୍ରଧାନ, ରୁଦ୍ର ପାତ୍ରଙ୍କ ସମେତ ଅନ୍ୟ ଆବେଦନକାରୀଙ୍କ ସହ ଆଲୋଚନା କରି ତଥ୍ୟ ନେଇଛନ୍ତି। ଏହାବ୍ୟତୀତ ପ୍ରଥମ ପର୍ଯ୍ୟାୟ ତଦନ୍ତରେ ମୋଟୁର ତତ୍କାଳୀନ ତହସିଲଦାର ଶଶାଙ୍କ ମିଶ୍ରଙ୍କୁ ଜେରା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୨୧ ମସିହା ଜୁନ୍‌ ମାସରେ ଜିଲ୍ଲାର ଲଘୁ ଖଣିଜ ଉତ୍ସ ଲିଜ୍‌ ଦେବାକୁ ଟେଣ୍ଡର ପ୍ରକ୍ରିୟା ହୋଇଥିଲା। ବହୁସଂଖ୍ୟାରେ ଆବେଦନକାରୀ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିଲେ ସୁଦ୍ଧା ଆନ୍ଧ୍ରର ଜଣେ ବ୍ୟବସାୟୀଙ୍କୁ ସମସ୍ତ ଉତ୍ସ ନିଲାମ ଦିଆଯାଇଥିଲା। ତତ୍କାଳୀନ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଏହି ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏପରିକି ତତ୍କାଳୀନ ଜିଲ୍ଲାପାଳ ୟେଦୁଲା ବିଜୟ ଏହି ଅନିୟମିତତା କରିଥିବା ସିଧାସଳଖ ଆକ୍ଷେପ କରିଥିଲେ। ଜିଲ୍ଲାପାଳ ଟେଣ୍ଡର ବାକ୍ସ ନିଜ ଘରେ ନେଇ ରଖିବା ସହ ଜଣେ ବ୍ୟବସାୟୀଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଭଳି ସଂଗିନ୍‌ ଅଭିଯୋଗ କରିଥିଲେ ଶ୍ରୀ ମାଝୀ। ଫଳରେ, ଏହି ଘଟଣାରେ ତତ୍କାଳୀନ ଜିଲ୍ଲାପାଳ ୟେଦୁଲା ବିଜୟ ବିବାଦରେ ଛନ୍ଦି ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ତାଙ୍କୁ ବଦଳି କରିଥିଲେ।

ନୂଆ ଜିଲ୍ଲାପାଳ ଭାବେ ବିଶାଳ ସିଂହ କାର୍ଯ୍ୟରେ ଯୋଗ ଦେବାପରେ ସଂପୂର୍ଣ୍ଣ ଟେଣ୍ଡର ପ୍ରକ୍ରିୟାକୁ ବାତିଲ୍‌ କରି ନୂଆ ଟେଣ୍ଡର ଆହ୍ବାନ କରିବାକୁ ଅନୁମୋଦନ କରିଥିଲେ। ଅନ୍ୟପକ୍ଷରେ, ଏହି ଦୁର୍ନୀତିର ତଦନ୍ତ ନିମନ୍ତେ ସ୍ଥାନୀୟ ଆଇନଜୀବୀ ଶ୍ରୀ ମହାନ୍ତି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଯାହାକୁ ଲୋକାୟୁକ୍ତ ଗ୍ରହଣ କରି କଟକ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ଗତକାଲି ଠାରୁ ତଦନ୍ତ ଆରମ୍ଭ କରି ଟେଣ୍ଡର ପ୍ରକ୍ରିୟା ସଂପର୍କିତ ସମସ୍ତ କାଗଜପତ୍ର ସଂଗ୍ରହ କରିଛି। ତଦନ୍ତ ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ରହିଥିବାରୁ ତଦନ୍ତ ପରିସର ଆଗକୁ ବଢ଼ିବ। କିଛି ବଡ଼ ଅଧିକାରୀ ମଧ୍ୟ ତଦନ୍ତର ସମ୍ମୁଖୀନ ହେବେ ବୋଲି ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର