ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲଦଣ୍ଡ, ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ଥାନା ଅଞ୍ଚଳରେ ୩ ବର୍ଷ ପୂର୍ବେ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବାରିପଦା ସ୍ବତନ୍ତ୍ର ଟ୍ରାକ୍ କୋର୍ଟ ବିଚାରପତି ଦୁର୍ଗାଚରଣ ମିଶ୍ର ୨୫ ବର୍ଷୀୟ ଅଭିଯୁକ୍ତକୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହ ୨୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଏଥିସହ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଆଇନ ସହାୟତା କେନ୍ଦ୍ରକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ; ୨୦୧୯ ଜୁନ ୨୬ ତାରିଖରେ ବାଙ୍ଗିରପୋଷି ଥାନା ଅଞ୍ଚଳର ଏକ ଗାଁରେ ଏହ‌ି ଘଟଣା ଘଟିଥିଲା। ନାବାଳିକା ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଓ ଏ କଥା କାହାକୁ କହିଲେ ଜୀବନରୁ ମାରି ଦେବର ଧମକ ଦେଇଥିଲା। ପରିବାର ଲୋକ ଏ ସମ୍ପର୍କରେ ଜାଣିବା ପରେ ବାଙ୍ଗିରପୋଷି ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନଂ ୭୧/୨୦୧୯ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୧୯ ଜଣ ସାକ୍ଷ୍ୟ ପ୍ରଦାନ କରିଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ବ୍ରଜେନ୍ଦ୍ର ମହାନ୍ତି ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର