ସୁନ୍ଦରଗଡ଼: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ୧୨ ଦିନ ଭିତରେ ତିନୋଟି ମାମଲା ସମାଜ ପାଇଁ ଚିନ୍ତାର କାରଣ

କୁତ୍ରା/ରାଜଗାଙ୍ଗପୁର: ବଢୁଛି ଦୁଷ୍କର୍ମ ଜନିତ ଘଟଣା। ବିଗତ ୧୨ ଦିନ ଭିତରେ ସୁନ୍ଦରଗଡ଼ ଜଲ୍ଲାରେ ତିନୋଟି ଦୁଷ୍କର୍ମ ମାମଲା ନିଶ୍ଚିତ ଭାବରେ ସମାଜ ପାଇଁ ଚିନ୍ତାଜନକ ବିଷୟ। ବିଗତ ଦିନରେ ଦୁଇଟି ନାବାଳିକା ଦୁଷ୍କର୍ମ ମାମଲା ରାଜଗାଙ୍ଗପୁର ଥାନାରେ ଅଭିଯୋଗ ହେଇଥିବା ବେଳେ ଆଜି ପୁଣି ଏକ ଲଜ୍ଜା ଜନକ ଘଟଣା ଘଟିଛି କୁତ୍ରା ଥାନା ଅଂଚଳରେ।

ସୂଚନା ଅନୁଯାୟୀ ଜଣେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ବେଳେ ପୀଡ଼ିତାର ବଡ଼ ଭଉଣୀ ତଥା ୧୪ ବର୍ଷର ନାବାଳିକାଙ୍କୁ ଅସଦାଚରଣ ନେଇ କୁତ୍ରା ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ଲୋକେ। ସାନ ଭଉଣୀକୁ ଗ୍ରାମର ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତି ଦୁଷ୍କର୍ମ କରିଥିବା ବେଳେ ବଡ଼ ଭଉଣୀଙ୍କୁ ଅନ୍ୟ ଜଣେ ଅଭିଯୁକ୍ତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଆଜି ରାଜଗାଙ୍ଗପୁର ଏସଡ଼ିପିଓ ବିଜୟ ନନ୍ଦଙ୍କ ତତ୍ତ୍ୱାବଧାନରେ କୁତ୍ରା ଥାନା ଅଧିକାରୀ ସୁଶାନ୍ତ ପରିଡା ମାମଲାର ଯାଞ୍ଚ କରିବା ସହ ଅଭିଯୁକ୍ତ ଜୟରମ ବିଲୁଙ୍ଗଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଛନ୍ତି। ପୁଲିସ ୧୪ବର୍ଷର ବଡ଼ ଭଉଣୀକୁ ଅସଦାଚରଣ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରି ରଜିତ ଡୁଙ୍ଗଡୁଙ୍ଗ ନାମରେ ଜଣେ ଯୁବକକୁ ଗିରଫ କରି ତାକୁ ମଧ୍ୟ କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଗତ ୧୨ ଦିନ ଭିତରେ ସ୍ଥାନୀୟ ଅଞ୍ଚଳରେ ନାବାଳିକାଙ୍କ ସହ ଏକାଧିକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିବା ବେଳେ ଏହା ସଭ୍ୟ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି। ଗତ ୯ ତାରିଖରେ ଜଣେ ନାବାଳିକା ଓ ୧୬ ତାରିଖରେ ଅନ୍ୟ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର