ରାଉରକେଲା: ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଅତିରିକ୍ତ ଦୌରାଜଜ୍ ତ୍ବରିତ ଅଦାଲତ ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ପି. ସୁରିୟା ରାଓ ଅଭିଯୁକ୍ତକୁ ଆଜୀବନ ଜେଲଦଣ୍ଡାଦେଶ ଶୁଣାଇଛନ୍ତି। ୨ ଲକ୍ଷ ଅଭିଯୋଗକାରିଣୀକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଭିଯୋଗକାରିଣୀକୁ ଥଇଥାନ ଓ ରକ୍ଷଣାବେକ୍ଷଣ ପାଇଁ ୭ ଲକ୍ଷ ଟଙ୍କା ଦେବାକୁ ଜିଲ୍ଲା ତାଲୁକ ଆଇନ ସେବା ଜରିଆରେ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ୧୮ ସରକାରୀ ସାକ୍ଷୀଙ୍କ ବୟାନ ଓ ୩୮ଟି ଦସ୍ତାବିଜ୍କୁ ବିଚାରକୁ ନେଇ ବିଚାରପତି ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ହେଲେ ବିଶ୍ରା ଅଞ୍ଚଳର ଯୁଗଳ ଚେରୁଆ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ସୁଦାମ ଚନ୍ଦ୍ର ଦାଶ ମାମଲା ପରିଚାଳନା କରୁଥିଲେ।
ଦିବ୍ୟାଙ୍ଗ ନାବାଳିକା ବିଶ୍ରା ଅଞ୍ଚଳରେ ରହନ୍ତି। ଏମିତି ସମ୍ବେଦନଶୀଳ ଘଟଣା ଘଟିଥିଲା ଗତ ୨୦୧୮ ନଭେମ୍ବରରେ। ପିତାମାତା ବାହାରକୁ ଯାଇଥିବାବେଳେ ୧୪ ବର୍ଷର ଦିବ୍ୟାଙ୍ଗ ବାଳିକା ଘରେ ଏକାକୀ ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଯୁଗଳ ଦିବ୍ୟାଙ୍ଗ ନାବାଳିକାଙ୍କ ଘରକୁ ପଶିଥିଲା। ତାର ଅନିଚ୍ଛା ସତ୍ବେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ନାବାଳିକା ଗର୍ଭବତୀ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ବିଶ୍ରା ପୁଲିସ ମାମଲା ରୁଜୁ କରିଥିଲା। ଡାକ୍ତରମାଇନା ପରେ ପୁଲିସ ପୀଡିତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅଭିଯୁକ୍ତ ଯୁଗଳକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।