କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଘଟଗାଁ ଥାନା ଅନ୍ତର୍ଗତ ବଡ଼ମସିଣାବିଲା ଗ୍ରାମର କମ୍ପାନି ପଦୁରିଆ (୫୩)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ୍‌ ବୋଲି କୋର୍ଟ ରାୟ ଦେଇଛନ୍ତି। ଏଥିସହ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର ସ୍ଥାୟୀଜମା ଆକାରରେ ଅନୁକମ୍ପା ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

Advertisment

ମାମଲାରୁ ବିବରଣୀରୁ ଜଣାଯାଏ ଯେ, ୨୦୨୩ ଏପ୍ରିଲ ୯ରେ ନାବାଳିକାଙ୍କ ବାପାମା’ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ୫ ବର୍ଷର ନାବାଳିକା ଘର ପାଖରେ ସାଙ୍ଗମାନଙ୍କ ସହ ଖେଳୁଥିଲେ। ଏହି ସମୟରେ କମ୍ପାନି ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲା। ବାପାମା’ ଘରକୁ ଫେରିବା ପରେ ଝିଅକୁ ରକ୍ତାକ୍ତ ଅବସ୍ଥାରେ କାନ୍ଦୁଥିବା ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ନାବାଳିକା ଜଣକ ବାପାମା’ଙ୍କୁ କହିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଘଟଗାଁ ଡାକ୍ତରଖାନା ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ନାବାଳିକାଙ୍କ ବାପା ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ୧୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଦୋଷୀକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।