ପୁରୀ : ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ପ୍ରାୟ ୧୧ ମାସ ପୂର୍ବେ ଅପହରଣ କରିନେଇଥିବା ଅଭିଯୁକ୍ତକୁ ଆଜି ଟାଉନ୍ ଥାନା ପୁଲିସ ଗିରଫ କରିଛି। ସେହିପରି ଅପହୃତାକୁ ମଧ୍ୟ ପୁଲିସ ବାସେଳିସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ କୁରୁଣ୍ଟି ମଠ ପରିସରରୁ ଉଦ୍ଧାର କରିଛି। ଉଭୟଙ୍କର ଆଜି ଡାକ୍ତରୀ ମାଇନାପରେ ପୁଲିସ ଅଭିଯୁକ୍ତକୁ ଗିରଫ ପରେ କୋର୍ଟଚାଲାଣ କରିଥିବା ବେଳେ ନାବାଳିକାକୁ ପରିବାର ଜିମାରେ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ବର୍ଷ ଅଗଷ୍ଟ ୧୧ ତାରିଖ ଦିନ ଟାଉନ ଥାନା ଅନ୍ତର୍ଗତ ମାଟିମଣ୍ଡପସାହିରୁ ଜଣେ ନାବାଳିକା(୧୬ ବର୍ଷ) ନିଖୋଜ ହୋଇଯାଇଥିଲେ। ନାବାଳିକାକୁ ଖୋଜାଖୋଜି କରିବା ପରେ ନମିଳିବାରୁ ତାଙ୍କ ଆଈ ଏନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ୨୨୯/୨୧ ନମ୍ବରରେ ଏକ ଅପହରଣ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ତେବେ ଏହି ନାବାଳିକା ଓ ତାକୁ ଅପହରଣ କରିନେଇଥିବା ଯୁବକ ଉଭୟ ବାସେଳିସାହି ଥାନା ଅନ୍ତର୍ଗତ କୁରୁଣ୍ଟି ମଠରେ ରହୁଥିବା ଖବର ପାଇ ଗତକାଲି ଟାଉନ ଥାନା ପୁଲିସ ସଦଳବଳ ସେଠାରେ ଚଢ଼ଉ କରି ନାବାଳିକାକୁ ଶଙ୍ଖା ସିନ୍ଦୁର ପିନ୍ଧିଥିବା ଅବସ୍ଥାରେ ଉଦ୍ଧାର କରିଥିଲା। ତାକୁ ଅପହରଣ କରିଥିବା କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ତାଳବସ୍ତ ଗାଁର ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ପୁଅ ବିଶୁନି ବାରିକ(୨୮)କୁ ମଧ୍ୟ ପୁଲିସ ଗିରଫ କରିଥିଲା। ପଚରାଉଚରା କରିବାରେ ନାବାଳିକାକୁ ବିଶୁନି ଅପହରଣ କରିନେଇ ବ୍ରହ୍ମପୁରରେ ଏକ ମନ୍ଦିରରେ ଫୁଲମାଳ ପକାଇ ଜବରଦସ୍ତ ବିବାହ କରିଥିଲା। କିଛି ଦିନ ସେମାନେ କଟକ ଓ ଅନ୍ୟଆଡ଼େ ଭଡ଼ାରେ ରହିଥିଲେ। ଏବେ ଗତ କିଛି ଦିନ ହେବ କୁରୁଣ୍ଟି ମଠରେ ନାବାଳିକାକୁ ଆଣି ରଖାଇଥିଲା। ତେଣୁ ନାବାଳିକାକୁ ନେଇ ପୁଲିସ ୧୬୪ ସିଆର୍ପିସିରେ କୋର୍ଟରେ ବୟାନ ରେକର୍ଡ କରିଥିଲା। ପୁଲିସ ନାବାଳିକାକୁ ତାଙ୍କ ମା’ଙ୍କ ଜିମାରେ ଦେବା ପରେ ଅପହରଣ କରିଥିବା ବିଶୁନିକୁ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest-22a.jpg)