ବିବାହକୁ ନା କଲେ ନାବାଳିକା, ହାତଗଣ୍ଠି ପଡ଼ିବା ପୂର୍ବରୁ ସିଧା ଥାନାରେ ପହଞ୍ଚିଲେ

ବର ଓ ଉଭୟ ପରିବାର ଥାନାରେ ଅଟକ

ବିବାହକୁ ନା କଲେ ନାବାଳିକା, ହାତଗଣ୍ଠି ପଡ଼ିବା ପୂର୍ବରୁ ସିଧା ଥାନାରେ ପହଞ୍ଚିଲେ

ପାଣିକୋଇଲି : ନାବାଳିକା କନ୍ୟା (୧୫ ବର୍ଷ)ର ଅନିଚ୍ଛା ସତ୍ତ୍ବେ ହେଉଥିଲା ବିବାହ। ଆଉ କିଛି ସମୟପରେ ହାତଗଣ୍ଠି ପଡ଼ିଥା’ନ୍ତା। ଶେଷରେ ନିଜ ଭିତରେ ସାହସ ଜୁଟାଇଲେ ଏହି ନାବାଳିକା। ପହଞ୍ଚିଗଲେ ଯାଜପୁର ଜିଲ୍ଲାର ପାଣିକୋଇଲି ଥାନାରେ। ତାଙ୍କର ଏହି ସାହସ ପାଇଁ ବାହାରଘର ଅଟକି ଗଲା। ହାତରେ ମେହେନ୍ଦି ଲଗାଇଥିବା ବରର ବାହାଘର ସ୍ବପ୍ନ ଅଧୁରା ରହିଗଲା। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ପଥରପଦା ପଞ୍ଚାୟତ ବେଙ୍ଗାସାହିର ଏହି ଘଟଣା ଆଜି ଆଲୋଚନାର ବିଷୟ ହୋଇଛି। ସମସ୍ତେ ନାବାଳିକାର ସାହସକୁ ପ୍ରଶଂସା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ରତ୍ନାକର ମହାରଣାଙ୍କ ପୁଅ ପିଙ୍କୁନ ମହାରଣା (୨୩ ବର୍ଷ) ପଥରପଦା ପଞ୍ଚାୟତ ବେଙ୍ଗସାହିରେ ରହି କାମ କରୁଥିଲେ। ଏହାଭିତରେ ସେ ସାହିର ସଂପୃକ୍ତ ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ। ପରେ ବିବାହ କରିବା ପାଇଁ ନିଜ ପରିବାର ଜରିଆରେ ଝିଅ ଘରେ ପ୍ରସ୍ତାବ ଦେଇଥିଲେ। ନାବାଳିକା ଆଦୌ ରାଜି ନଥିଲେ ମଧ୍ୟ ପୁଅଘରଠାରୁ ପ୍ରସ୍ତାବ ପାଇବା ପରେ ଝିଅକୁ ବିବାହ ଦେବାପାଇଁ ତାଙ୍କ ପରିବାର ପ୍ରସ୍ତୁତ ହୋଇଯାଇଥିଲେ। ଏହାପରେ କଥା ଆଗକୁ ବଢ଼ିଥିଲା। ବରଘର ଲୋକେ ରବିବାର ଦିନ ବରଯାତ୍ରୀ ଧରି ଏକ ବୋଲେରୋ ଯୋଗେ ପାଣିକୋଇଲି ପହଞ୍ଚିଥିଲେ। ବିବାହ କାର୍ଯ୍ୟ ଆରମ୍ଭ ହେବାପୂର୍ବରୁ ନାବାଳିକା ଜଣକ ଚତୁରତାର ସହିତ ଥାନାରେ ପହଞ୍ଚି ଘଟଣା ସଂପର୍କରେ ଜଣାଇଥିଲେ। ଫଳରେ ବିବାହ ହେଉହେଉ ଅଟକିଯାଇଛି।

ଥାନା ଏଏସଆଇ ଉଦୟନାଥ ସୋରେନ, ଅଶୋକ ବଳଙ୍କ ସମେତ ଅନ୍ୟ କର୍ମଚାରୀମାନେ ଯାଇ ଚଢ଼ଉ କରିବାରୁ ବରଯାତ୍ରୀ ଛତ୍ରଭଙ୍ଗ ଦେଇଥିଲେ। ଏଥିସହିତ, ଭୋଜିଭାତ ବି ଅଟକିଯାଇଛି। ବର, ତାଙ୍କ ପରିବାର ଓ ଝିଅଘର ପରିବାର ଲୋକଙ୍କୁ ପୁଲିସ ଥାନାକୁ ନେଇ ଅଟକ ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe