ଭୁବନେଶ୍ବର: କୁଷ୍ଠ ରୋଗୀ ଓ ତାଙ୍କ ସଂସ୍ପର୍ଶରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଭଲ ଖବର। ଭାରତରେ ପ୍ରସ୍ତୁତ ହୋଇଥିବା ଏମ୍ଆଇପି(ମାଇକୋବ୍ୟାକ୍ଟେରିୟମ ଇଣ୍ଡିସସ୍ ପ୍ରାନି) ଟିକା ପ୍ରଥମଥର ଲାଗି ଓଡ଼ିଶାରେ ଦିଆଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି। କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବା ପରେ ଟିକାକରଣ ଆରମ୍ଭ ହେବ। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଛି। ଏହି ଦୁଇ ଜିଲ୍ଲାରେ ଏହା ସଫଳ ହେଲେ ଅନ୍ୟ ଜିଲ୍ଲାରେ ଏହି ଟିକାକରଣ ଆରମ୍ଭ ହେବ। ରାଜଧାନୀଠାରୁ ଅଳ୍ପ ଦୂର ଓ ଦୁଇ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଟିମ୍କୁ ସୁହାଇବା ଭଳି ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ପୂର୍ବରୁ ଦେଶର ଗୋଟେ କିମ୍ବା ଦୁଇଟି ରାଜ୍ୟରେ ଏହି ଟିକାକରଣ ଆରମ୍ଭ ହୋଇସାରିଛି। ଏଥିରେ ରୋଗ ଶୀଘ୍ର ଭଲ ହେଉଥିବାରୁ ୨୦୩୦ ମସିହା ସୁଦ୍ଧା କୁଷ୍ଠ ରୋଗୀଙ୍କ ନିୟନ୍ତ୍ରଣ ଲକ୍ଷ୍ୟକୁ ସଫଳ କରିବାରେ ଏହା ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।
ଓଡ଼ିଶାରେ ଟିକାକରଣ ଆରମ୍ଭ ପାଇଁ କେନ୍ଦ୍ର ସହ ଆଲୋଚନା
ଆଜିଠାରୁ କୁଷ୍ଠ ଚିହ୍ନଟ ଅଭିଯାନ ଆରମ୍ଭ
୨୦୦୬-୦୭ ମସିହାରେ ରାଜ୍ୟ ସରକାର ଓଡ଼ିଶାକୁ କୁଷ୍ଠମୁକ୍ତ ଘୋଷଣା କରିଥିଲେ। କୁଷ୍ଠମୁକ୍ତ ହେବାର ୧୦ବର୍ଷ ପରେ ଅର୍ଥାତ୍ ୨୦୧୭ ମସିହାରେ ରାଜ୍ୟରେ ୯୫୦୦ ନୂଆ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିଲେ। ଯାହାକି ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ପ୍ରତିବର୍ଷ ଏହି ସଂଖ୍ୟା ବଢ଼ି ଚାଲିଥିଲା। ପ୍ରତି ୧୦ହଜାର ଜନସଂଖ୍ୟାରେ ନୂଆ କୁଷ୍ଠ ରୋଗୀଙ୍କ ସଂଖ୍ୟା ୧ରୁ କମ୍ ରହିଲେ ତାହା କୁଷ୍ଠମୁକ୍ତ ବୋଲି ଘୋଷଣା ହୋଇଥାଏ। ମାତ୍ର ରାଜ୍ୟ ସରକାର ତରବରିଆ ଭାବେ ନିଜକୁ କୁଷ୍ଠମୁକ୍ତ ଘୋଷଣା କରିବା ଫଳରେ ଗୋଷ୍ଠୀସ୍ତରରେ ସଂକ୍ରମଣ ବଢ଼ିଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୮୩୯୬ ନୂଆ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି। ଚଳିତବର୍ଷ ଏପ୍ରିଲ-ଅକ୍ଟୋବର ମାସ ପର୍ଯ୍ୟନ୍ତ ୩୬୨୫ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଅର୍ଥାତ୍ ମାସକୁ ୫ଶହ ନୂଆ କୁଷ୍ଠ ରୋଗୀ ବାହାରୁଛନ୍ତି। ରାଜ୍ୟରେ ବର୍ତ୍ତମାନ ୫୬୧୯ ଚିକିତ୍ସାଧୀନ କୁଷ୍ଠ ରୋଗୀ ରହିଛନ୍ତି। ଏଥିରେ ୫୨ଜଣ ହେଉଛନ୍ତି ବିକଳାଙ୍ଗ ବା ଜି୨ଡି(ଗ୍ରେଡ୍ ୨ ଡିଜାବିଲିଟ) ରୋଗୀ।
ଅପରପକ୍ଷରେ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ବତନ୍ତ୍ର ଭାବେ କୁଷ୍ଠ ରୋଗୀ ଚିହ୍ନଟ ଅଭିଯାନ(ଏଲସିଡିସି) ଆରମ୍ଭ ହେବାକୁ ଯାଉଛି। ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସହ ସରକାରଙ୍କ ଅନ୍ୟ ଅଂଶୀଦାରମାନଙ୍କୁ ନେଇ ସ୍ବତନ୍ତ୍ର ଅଭିଯାନ ଚାଲିବ। ଗତବର୍ଷ ଏହି ଅଭିଯାନରେ ୨୨୨୩ ନୂଆ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିଲେ। ତେବେ କରୋନା ମହାମାରୀ ପାଇଁ ଏଲ୍ସିଡିସି ବନ୍ଦ ହୋଇଯିବା କାରଣରୁ ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟାରେ ପୁନର୍ବାର ବୃଦ୍ଧି ଘଟିଥିଲା।
ସେହିପରି ରାଜ୍ୟର ୨ଟି ଜିଲ୍ଲା ରାୟଗଡ଼ା ଓ ବାଲେଶ୍ବର କୁଷ୍ଠମୁକ୍ତ ଜିଲ୍ଲାଭାବେ ଘୋଷଣା ଅପେକ୍ଷାରେ ରହିଛି। ଏହି ଦୁଇ ଜିଲ୍ଲା ଆବଶ୍ୟକ ମାନଦଣ୍ଡ ପୂରଣ କରିସାରିଛନ୍ତି। ସେହିପରି ରାଜ୍ୟର ଆଉ ୭ଟି ଜିଲ୍ଲା ମଧ୍ୟ କୁଷ୍ଠମୁକ୍ତ ଅଭିଯାନ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟର ୨ ଜିଲ୍ଲାରେ ଏମ୍ଆଇପି ଟିକା ପ୍ରଦାନ ପାଇଁ ଉଦ୍ୟମ କରିବା ଲାଗି କେନ୍ଦ୍ରର ଅନୁମତି ଲୋଡ଼ାଯାଇଛି। ଟିକାକରଣ ସଫଳ ହେଲେ କୁଷ୍ଠମୁକ୍ତ ଅଭିଯାନରେ ଏହା ବିଶେଷ ସହାୟକ ହୋଇପାରିବ। ଏଲ୍ସିଡିସି ଜରିଆରେ ନୂଆ କୁଷ୍ଠ ରୋଗୀ ଚିହ୍ନଟକୁ ତ୍ବରାନ୍ବିତ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।