ପୁରୀ: ଚଳିତ ବର୍ଷ ସଂପନ୍ନ ହୋଇ ଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା କାଳରେ ସ୍ନାନବେଦୀ ଉପରେ ଘଟିଥିବା ଏକ ‘ଅଲୌକିକ’ ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅଲୌକିକ ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏବେ ମୋବାଇଲ୍ରୁ ମୋବାଇଲକୁ ଘୂରି ବୁଲୁଛି। ଘଟଣାଟି ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଥାରୁ ଫୁଲ ମାଳ ଖସିବା। ଶୁଣିବା ପାଇଁ ଅବିଶ୍ୱାସ ମନେ ହେଉଥିଲେ ମଧ୍ୟ ପ୍ରକୃତରେ ଘଟିଛି ଏପରି ଘଟଣା।
ସ୍ନାନଯାତ୍ରା କାଳରେ ମହାପ୍ରଭୁଙ୍କ ମହାସ୍ନାନ ପରେ ଗଜବେଶ ପୂର୍ବରୁ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଛେରାପହଁରା କାର୍ଯ୍ୟ ସମାପନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କର୍ପୂର ଆଳତି କରିସାରି ମଥାନତ ହୋଇ ପ୍ରଣିପାତ କରୁଥିବା ସମୟରେ ହଠାତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଥାରୁ ଏକ ଫୁଲମାଳ ତଳକୁ ଖସି ପଡ଼ିଥିଲା। ଏହା ଏକ ଅଲୌକିକ ଘଟଣା ହୋଇଥିବା ସହ ଏହା ଏକ ଅତ୍ୟନ୍ତ ଶୁଭସଙ୍କେତ ବୋଲି ଭଗବତ ବିଶ୍ୱାସୀମାନେ କହୁଛନ୍ତି।
ଏ ସଂକ୍ରାନ୍ତରେ ମହାପ୍ରଭୁଙ୍କ ଦଇତାପତି ସେବକ ତଥା ବିଶ୍ୱାବସୁ ବିନାୟକ ଦାସମହାପାତ୍ର ‘ସମ୍ବାଦ ଡଟ୍ ଇନ୍’କୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସବୁବେଳେ ଏମିତି ଘଟଣା ଘଟି ନଥାଏ। ତେବେ, ଗଜପତି କର୍ପୂର ଆଳତି କରିସାରି ପ୍ରଣାମ କରୁଥିବା ବେଳେ ଯେପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଥାରୁ ଫୁଲମାଳ ଖସିଲା ତାହା ରାଜ୍ୟ ଓ ଦେଶ ପାଇଁ ଅତ୍ୟନ୍ତ ଶୁଭ ସଙ୍କେତ ଦେଉଛି। ଏବଂ ଗଜପତିଙ୍କ ପ୍ରତି ମହାପ୍ରଭୁଙ୍କର ଆଶୀର୍ବାଦ ରହିଥିବାର ସୂଚନା ଦେଉଛି। ସେହିପରି ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ସେବାୟତ ଜଗନ୍ନାଥ ଦାସମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ଏଭଳି ଏକ ଘଟଣାରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ତାଙ୍କ ଦେହ ଶୀତେଇ ଯାଇଥିଲା। ସେଠାରେ ଉପସ୍ଥିତ ଅନ୍ୟ ସେବାୟତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ଠାକୁରଙ୍କ ମଥାରୁ ମାଳ ଖସିବା ସେମାନେ କେବଳ ଶୁଣିଥିଲେ; ତେବେ ଏଥର ସ୍ନାନ ଯାତ୍ରାରେ ଏହାକୁ ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି ସେବାୟତମାନେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Jagan.jpg)