ଆଇନ-ଅଦାଲତ କ୍ଷେତ୍ରରେ ବର୍ଷ ୨୦୨୧ ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଭବିଷ୍ୟତ ପାଇଁ ଭିତ୍ତିଭୂମି ସୃଷ୍ଟି କରିଛି। ଅନେକ ଉଲ୍ଲେଖନୀୟ ମାମଲାରେ ବି ରାୟ ପ୍ରଦାନ କରିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ୨୦୨୧ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଓ ୭ ଜଣ ନୂଆ ବିଚାରପତିଙ୍କୁ ଦେଖିଛି। ହାଇକୋର୍ଟରେ ମାମଲା ଶୁଣାଣିର ସିଧାସଳଖ ପ୍ରସାରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ରାଜନୈତିକ ଦଳଙ୍କ ବନ୍ଦ ଡାକରାକୁ ବେଆଇନ କରାଯିବା ହେଉ କି ଭରଣପୋଷଣ ମାମଲାର ତ୍ବରିତ ଶୁଣାଣି ଶେଷ ‌ନିର୍ଦ୍ଦେଶ ହେଉ ଅଥବା ପଂଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ମାମଲା.... ବର୍ଷ ସାରା ଚର୍ଚ୍ଚାରେ ରହି ଆସିଛି ହାଇକୋର୍ଟ।
ଉପସ୍ଥାପନା: ଚୌଧୁରୀ ଅଶ୍ବିନୀ ଦାସ

Advertisment

ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ସମେତ ୭ ନୂଆ
ଓଡ଼ିଶା ହାଇକୋର୍ଟରେ ୨୦୨୧ ବର୍ଷରେ ମୁଖ୍ୟ ବିଚାରପତିଙ୍କ ସମେତ ୭ଜଣ ନୂଆ ବିଚାରପତି ଯୋଗ ଦେଇଥିବା ବେଳେ ଦୁଇ ଜଣ ବିଚାରପତି ଅବସର ଗ୍ରହଣ କରିଛନ୍ତି ଓ ଜଣେ ବିଚାରପତି ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହୋଇଛନ୍ତି। ପଞ୍ଜାବ-ହରିୟାଣା ହାଇକୋର୍ଟର ବରିଷ୍ଠ ବିଚାରପତି ଥିବା ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ୨୦୨୧, ଜାନୁ୍ଆରି ୪ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ପଞ୍ଜାବ-ହରିୟାଣା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଯଶୱନ୍ତ ସିଂହ ଓ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ବଦଳି ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଚଳିତ ବର୍ଷ ହାଇକୋର୍ଟର ଦୁଇ ଜଣ ଆଇନଜୀବୀ ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ଅନ୍ୟପକ୍ଷରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଂଜୟ କୁମାର ମିଶ୍ରଙ୍କ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହୋଇଥିଲା। ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକ ଅବସର ଗ୍ରହଣ କରିଥିଲେ। ଏଭଳି ପରିବର୍ତ୍ତନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ଏବେ ୧୮ରେ ପହଞ୍ଚିଛି।

publive-image

ସ୍କୁଲ ମିଶ୍ରଣ ପ୍ରସଂଗ: ଜଣିକିଆ ଖଣ୍ଡପୀଠ ନିର୍ଦ୍ଦେଶ ଉପରେ ରହିତାଦେଶ ଦେଲେ ୨ ଜଣିଆ ଖଣ୍ଡପୀଠ

ସ୍କୁଲ ମିଶ୍ରଣ ପ୍ରସଂଗରେ ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଥିଲା। ୨୦ରୁ କମ୍ ସଂଖ୍ୟାର ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ ନିକଟବର୍ତ୍ତୀ ପ୍ରମୁଖ ସ୍କୁଲରେ ମିଶ୍ରଣ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏପରି ବିଜ୍ଞପ୍ତିକୁ ହାଇକୋର୍ଟର ଜଣିକଆ ବିଚାରପତି ରଦ୍ଦ କରିଥିଲେ। ସ୍କୁଲ ଗୁଡିକର ଉପସ୍ଥାପନ କମିବା ପାଇଁ ସରକାରଙ୍କ ଶିକ୍ଷାନୀତି ପରୋକ୍ଷରେ ଦାୟୀ। ଉପଯୁକ୍ତ ଭିତ୍ତିଭୂମି ଓ ଆନୁସଙ୍ଗିକ ସୁବିଧା ନ ଦେଇ ସ୍କୁଲ ଗୁଡିକ ମିଶ୍ରଣ ପାଇଁ ନିଷ୍ପତ୍ତି ନେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଅଧିକାର ପ୍ରସଂଗକୁ ଅଣଦେଖା କରି ସରକାର ଏପରି ନିଷ୍ପତ୍ତି ନେଇଥିବା ବେଳେ ଏହା ରଦ୍ଦ କରାଯିବା ଉଚିତ ବୋଲି ମେ ୪ରେ ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଥିଲା। ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ଦୁଇ ଜଣିଆ ଖଣ୍ଡପୀଠରେ ଗଣଶିକ୍ଷା ବିଭାଗ ଆବେଦନ କରିଥିଲା। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଏ ସଂପର୍କିତ ରିଟ୍ ଅପିଲକୁ ବିଚାର ପାଇଁ ଗ୍ରହଣ କରିବା ସହିତ ଜଣିକିଆ ବିଚାରପତିଙ୍କ ମେ ୪ର ରାୟ ଉପରେ ମଧ୍ୟବର୍ତ୍ତିକାଳୀନ ରହିତାଦେଶ ଜାରି କରିଥିଲେ। ଏବେ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି।

ପଂଚାୟତ ସଂରକ୍ଷଣ ମାମଲା

ପଂଚାୟତରେ ରୋଟେସନ୍ ଭିତ୍ତିରେ ସଂରକ୍ଷଣ ଠିକ ଭାବେ ଲାଗୁ ହୋଇ ନଥିବା ଅଭିଯୋଗ ଆଣି ହାଇକୋର୍ଟରେ ୬ଟି ମାମଲା ରୁଜୁ ହୋଇଥିଲା। ମାମଲା ଗୁଡିକର ଏକତ୍ର ଶୁଣାଣି କରି ହାଇକୋର୍ଟ ସୁପ୍ରିମକୋର୍ଟ ରାୟ ଆଧାରରେ ପଂଚାୟତରେ ପଛୁଆ ବର୍ଗଙ୍କ ସଂରକ୍ଷଣ ସଂପର୍କରେ ପୁନଃ ସମୀକ୍ଷା କରି ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ବର୍ଷ ଶେଷରେ ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିବା ବେଳେ ପଂଚାୟତ ସଂରକ୍ଷଣ ଏବଂ ପୌର ପରିଷଦ, ନଗର ନିଗମ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିତର୍କର କ୍ଷେତ୍ର ପ୍ରସ୍ତୁତ କରିଛି। ଆଗକୁ ସଂରକ୍ଷଣ ବ୍ୟବସ୍ଥାର ରୂପରେଖ କିଭଳି ହେବ, ତାହା ଅବଶ୍ୟ ଆଗାମୀ ଦିନରେ ସ୍ପଷ୍ଟ ହେବ।

କରୋନା ସଂକ୍ରମିତଙ୍କ ଚିକିତ୍ସା, ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଭିମ୍‌ସାର୍‌)ରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଅବହେଳା ପ୍ରସଂଗରେ ତଦନ୍ତ କରି ତିନି ମାସ ଭିତରେ ରିପୋର୍ଟ ଦାଖଲ ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏ.ବି.ଏସ୍ ନାଇଡୁଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ୨୯ରେ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କ ତରଫରୁ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା।