ଆଜି ପୁଣି ଏମକେସିଜିରେ ଅଘଟଣ: ଛାତରୁ ଖସିଲା ସିଲିଂ

ବ୍ରହ୍ମପୁର : ଏମକେସିଜିର ସୁପର ସ୍ପେସିଆଲିଟି ବ୍ଲକ୍ ଏବେ ଏକପ୍ରକାର ଅସୁରକ୍ଷିତ ହୋଇପଡ଼ିଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇ ଅତ୍ୟାଧୁନିକ କୋଠାରେ ନାନା ଦୁର୍ଘଟଣା ଘଟୁଛି। ପ୍ରଥମେ ଅଗ୍ନିକାଣ୍ଡ ପୁଣି ଗତକାଲି ସିଲିଂ ଖସିବା ପରେ ଆଜି ପୁଣି ସୁପର ସ୍ପେସିଆଲିଟି ୩ ନମ୍ବର କୋଠାରୁ ସିଲିଂ ଖସିଥିବାର ଖବର ମିଳିଛି। ଯଦିଓ ଏହି ଘଟଣାରେ କୌଣସି ଧନହାନି ଘଟିନାହିଁ, ତେବେ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଯୋଗୁ ରୋଗୀ ଓ ସେମାନଙ୍କ ସଂପର୍କୀୟ ଚିନ୍ତାରେ ରହିଛନ୍ତି।


ସୂଚନାଯୋଗ୍ୟ, ଗତକାଲି ଭୋରରେ ବ୍ଲକ୍ର ପଞ୍ଚମ ମହଲା ଛାତରୁ ସିଲିଂ ଖସିଥିଲା। ଏହି ଘଟଣାରେ କେହି ଆହତ ହୋଇ ନଥିଲେ ସୁଦ୍ଧା ରୋଗୀଙ୍କ ମହଲରେ ଆତଙ୍କ ଖେଳିଯାଇଥିଲା। କେନ୍ଦ୍ର ସରକାରଙ୍କ ପିଏମ୍ଏସ୍ଏସ୍ୱାଇରେ ଏମ୍କେସିଜି ପରିସରରେ ପ୍ରାୟ ୧୫୦କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ସୁପର ସ୍ପେସିଆଲିଟି ବ୍ଲକ୍ ତିଆରି କରାଯାଇଛି। ସେଠାରେ ସମସ୍ତ ସୁପର୍ସ୍ପେସାଲିଟି ବିଭାଗ କାର୍ଯ୍ୟକ୍ଷମ ରହିଛି। କୋଠାର ପଞ୍ଚମ ମହଲାରେ ଓଟି କମ୍ପ୍ଲେକ୍ସ ରହିଛି। ଗତ ୨୬ ତାରିଖରେ ଓଟି କମ୍ପ୍ଲେକ୍ସର ୟୁରୋଲୋଜି ବିଭାଗ ଓଟିରେ ସର୍ଟ ସର୍କିଟ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ, ବିଦ୍ୟୁତ ସରଞ୍ଜାମ ପୋଡ଼ି ଯାଇଥିବା ବେଳେ ଓଟିର ବିଭିନ୍ନ ପ୍ରକାର ଯନ୍ତ୍ରପାତି ମଧ୍ୟ ନିଆଁ ଲାଗି ନଷ୍ଟ ହୋଇ ଯାଇଥିଲା। ଏହି ଘଟଣାରେ ରୋଗୀ ଅଳ୍ପକେ ରକ୍ଷା ପାଇଯାଇଥିଲେ। ସେହିଦିନଠାରୁ ମରାମତି ପାଇଁ ଓଟି କମ୍ପ୍ଲେକ୍ସ ବନ୍ଦ ରହିଥିବା ବେଳେ ଗତକାଲି ଭୋର୍ରେ ଛାତର ସିଲିଂ ଖସି ପଡ଼ିଥିଲା। ରୋଗୀଙ୍କ ସମ୍ପର୍କୀୟ ବସିବା ପାଇଁ ରହିଥିବା ହଲ୍ର ଛାତରୁ ଏହି ସିଲିଂ ଖସିଥିଲା।

ସମ୍ବନ୍ଧିତ ଖବର