ଭୁବନେଶ୍ୱର: ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇଥିବା ସଂଗ୍ରାମୀଙ୍କୁ ମାସିକ ୨୦ ହଜାର ଟଙ୍କା ପେନ୍ସନ ପ୍ରଦାନ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଜରୁରିକାଳୀନ ପରିସ୍ଥିତିକୁ ଗଣତନ୍ତ୍ରର ଏକ କଳାଦାଗ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ। ସୂଚନାଯୋଗ୍ୟ ଯେ ଦେଶର ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ମିସା ବନ୍ଦୀଙ୍କ ପାଇଁ ପେନ୍ସନ ବ୍ୟବସ୍ଥା ଲାଗୁ ହୋଇଛି। ଓଡ଼ିଶାର ପୂର୍ବ ବିଜେଡି ସରକାର ମିସା ବନ୍ଦୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ମଧୁବାବୁ ପେନ୍ସନ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହାକୁ ମିସା ବନ୍ଦୀମାନେ ଗ୍ରହଣ କରି ନଥିଲେ। ଫଳରେ ତାହା ଲାଗୁ ହୋଇପାରି ନଥିଲା।
ସ୍ୱାଧୀନତା ସଂଗ୍ରାମୀ ସଦନ ପଡ଼ିଆରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସ୍ବାଧୀନତା ସଂଗ୍ରାମୀଙ୍କ ପେନ୍ସନ ରାଶି ବୃଦ୍ଧି ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ଜେଲ୍ ଯାଇଥିବା ରାଜ୍ୟର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପେନ୍ସନ୍କୁ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହିତ ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀମାନେ ଏବେ ମାସକୁ ୧୫ ହଜାର ଟଙ୍କା ପାଇବେ। କେନ୍ଦ୍ର ସରକାରଙ୍କ ପେନ୍ସନ୍ ପାଉଥିବା ସଂଗ୍ରାମୀମାନଙ୍କୁ ରାଜ୍ୟ ସରକାର ମାସକୁ ଅତିରିକ୍ତ ୮ ହଜାର ଟଙ୍କା ପ୍ରତୀକ ଭତ୍ତା ପ୍ରଦାନ କରୁଥିଲେ। ଏହି ଭତ୍ତାକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱାଧୀନତା ସଂଗ୍ରାମୀମାନେ ଆମର ଅମୂଲ୍ୟ ରତ୍ନ। ସେମାନେ ଯେଉଁ ତ୍ୟାଗ କରିଛନ୍ତି ତା’ର ମୂଲ୍ୟ କେହି ଦେଇପାରିବେ ନାହିଁ।
ମହତାବଙ୍କ କୃତି ଓ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ତାଙ୍କ ଜୀବନୀ ଉପରେ ବାୟୋପିକ୍, ତାଙ୍କ ରଚିତ ପୁସ୍ତକ ଓ ଆଲେଖ୍ୟଗୁଡ଼ିକର ବିଭିନ୍ନ ଭାଷାରେ ପୁନଃପ୍ରକାଶନ, ଜନ୍ମସ୍ଥାନ ଅଗରପଡ଼ାରେ ସ୍ମାରକୀ ପ୍ରତିଷ୍ଠା, ତାଙ୍କ ଜୀବନୀ ଉପରେ ଗବେଷଣା ଆଦି ଅନେକ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ବରଗଡ଼ ଜିଲ୍ଲାର ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂହଙ୍କ ତ୍ୟାଗ ଓ ବଳିଦାନର ସମ୍ମାନାର୍ଥେ ‘ସହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନା’ ଆରମ୍ଭ ହେବ। ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିବା ସମସ୍ତ ବରପୁତ୍ରମାନଙ୍କୁ ସମ୍ମାନ ଦେବାରେ ଆମ ସରକାର କେବେହେଲେ ଅବହେଳା କରିବେ ନାହିଁ ବୋଲି ମତ ପ୍ରକାଶ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀମାନେ ଓଡ଼ିଶାର ଇତିହାସ, ପରମ୍ପରା ଓ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହରେକୃଷ୍ଣ ମହତାବଙ୍କୁ ବାଦ୍ ଦେଇ ଓଡ଼ିଶା ଓ ଭୁବନେଶ୍ୱରର ଇତିହାସ ଲେଖା ଯାଇପାରିବ ନାହିଁ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ୱାଧନତା ସଂଗ୍ରାମୀ ତଥା ମହୋତ୍ସବ ସଭାପତି ବିମ୍ବାଧର ମୁଦୁଲି, ସାଂସଦ ଭର୍ତ୍ତୃହରି ମହତାବ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ବାବୁ ସିଂହ, ସାରଦା ପ୍ରଧାନ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ତଥା ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପୃଥ୍ୱୀରାଜ ହରିଚନ୍ଦନ ସ୍ୱାଗତ ଭାଷଣ ଦେଇଥିଲେ। ଯୁବ ସାମ୍ମୁଖ୍ୟ ଓଡ଼ିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ କମିଟିର ସାଧାରଣ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ମହୋତ୍ସବରେ ଦେଶର ୧୦ଟି ରାଜ୍ୟରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦାୟାଦମାନେ ଯୋଗ ଦେଇଥିଲେ। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।
ସ୍ୱାଧୀନତା ସଂଗ୍ରାମୀ ସଦନ ପରିସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ବାଚସ୍ପତି ସୁରମା ପାଢ଼ୀ, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମହୋତ୍ସବର ସଭାପତି ବିମ୍ବାଧର ମୁଦୁଲି, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ବିଧାୟକ ଗଣେଶ୍ୱର ବେହେରା, ସ୍ୱାଧୀନତା ସଂଗ୍ରାମୀ ଉତ୍ତରଦାୟାଦ ସଂଗଠନର ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।