ବ୍ୟାସନଗର : କଲେଜ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଯାଜପୁର ରୋଡ୍‌ ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତ ସମେତ ବସ ଡ୍ରାଇଭର, କଣ୍ଡକ୍ଟର, ହେଲପରଙ୍କୁ କୋର୍ଟଚାଲାଣ କରିଛି। ମୁଖ୍ୟ ଅଭିଯୁକ୍ତ ହେଉଛି କୋରେଇ ଥାନା ଚାନ୍ଦମା ଗ୍ରାମର ତ୍ରିଲୋଚନ ସାମଲ (୪୧)। ଏହି ଘଟଣାରେ ବସ ଡ୍ରାଇଭର ଯାଜପୁର ସଦର ଥାନା ସୁଜନପୁର ଗ୍ରାମର ଅଶୋକ ନାୟକ, କଣ୍ଡକ୍ଟର ଧାମନଗର ଥାନା ଧାମନଗର ଗ୍ରାମର ଶମ୍ଭୁନାଥ ରାୟ ଓ ହେଲପର ରାଛିପୁର ଗ୍ରାମର ଅଶୋକ ନାହକଙ୍କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଥାନା କେସ ନଂ ୩୫୭/୨୨ ଦଫା ୩୪୧, ୩୪୨, ୩୫୪ ଏ, ୧୧୦ ୩୪ ଆଇପିସିରେ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ସବ୍ଇନ୍ସପେକ୍ଟର ଜ୍ୟୋତି ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ଗତକାଲି କଟକରୁ ଯାଜପୁରରୋଡ୍‌ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ (ଓଡି ୦୫ ଏଲ ୧୧୪୯)ରେ ଜନୈକା ଯୁକ୍ତ ଦୁଇ ଛାତ୍ରୀ  ଚଣ୍ଡିଖୋଲରୁ ଚଢ଼ିଥିଲେ। ଅଭିଯୁକ୍ତ ତ୍ରିଲୋଚନ ଛାତ୍ରୀଙ୍କ ପାଖରେ ବସି  ଅସଦାଚାରଣ କରିଥିଲା। ଏନେଇ ଛାତ୍ରୀଜଣକ ବସର ଡ୍ରାଇଭର ଓ ହେଲ୍‌ପରଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କିଛି ପଦକ୍ଷେପ ନେଇନଥିଲେ। ତେଣୁ ଛାତ୍ରୀଜଣକ ଏ ସଂପର୍କରେ ତାଙ୍କ ବାପାଙ୍କୁ ଫୋନ କରି ଜଣାଇଥିଲେ। ବସ ଯାଜପୁର ରୋଡ୍‌ ବସଷ୍ଟାଣ୍ଡରେ ପହଞ୍ଚିବା ପରେ ତାଙ୍କ ବାପା ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଯାଜପୁର ରୋଡ ପୁଲିସ ପହଞ୍ଚି ଅଭିଯୁକ୍ତ ତ୍ରିଲୋଚନକୁ ଖୋଜାଖୋଜି କରି ରେଳଷ୍ଟେସନ ସାଇକେଲ ଷ୍ଟାଣ୍ଡରୁ ଗିରଫ କରିଥିଲା।