ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର

ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲଗେଟ୍‌ରେ ଆଜି ମଧ୍ୟପ୍ରଦେଶ ଧାର୍‌ ଲୋକସଭା ନିର୍ବାଚନ ମଣ୍ଡଳୀର ମହିଳା ସାଂସଦ ସାବିତ୍ରୀ ଠାକୁରଙ୍କୁ କେତେକ କର୍ମଚାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଟୋଲ୍‌ ଗେଟ୍‌ରେ ସାଂସଦମାନେ ବିନା ଶୁଳ୍କରେ ଯାତାୟତ କରିବାର ନିୟମ ଅଛି। ତେବେ ପୁରୀରେ ଜଗନ୍ନାଥ ଦର୍ଶନ କରି କାର୍‌ରେ ଫେରୁଥିବା ଶ୍ରୀମତୀ ଠାକୁର ଏଠାରେ ନିଜ ସାଂସଦ ପରିଚୟପତ୍ର ଦେଖାଇଥିଲେ ମଧ୍ୟ କର୍ମଚାରୀମାନେ ତାଙ୍କୁ ଛାଡ଼ିନଥିଲେ। ଓଲଟି ତାଙ୍କୁ ଦୁର୍ବ୍ୟବହାର କରିବା ସହ ‘ବହୁତ ଏମପି ଦେଖିଛୁ, ପ୍ରଧାନମନ୍ତ୍ରୀ ଆସିଲେ ମଧ୍ୟ ଛାଡ଼ିବୁନି’ ବୋଲି ଶୁଣାଇଥିଲେ । ସାଂସଦଙ୍କ ସହ ଥିବା ବିଜେପି କୃଷକ ମୋର୍ଚ୍ଚାର ଜାତୀୟ ସମ୍ପାଦକ ଡକ୍ଟର ଶମ୍ଭୁ କୁମାର ମଧ୍ୟ ଟୋଲ ଗେଟ୍‌ କର୍ମଚାରୀମାନଙ୍କ ଦୁର୍ବ୍ୟବହାରରୁ ବାଦ୍‌ ପଡ଼ି ନଥିଲେ।

ଏହି ଖବର ପାଇବା ପରେ ବିଜେପି କୃଷକ ମୋର୍ଚ୍ଚାର କର୍ମକର୍ତା ଓ ଶତାଧିକ ସ୍ଥାନୀୟ ବିଜେପି କର୍ମୀ ସେଠାରେ ପହଂଚି ଟୋଲଗେଟ ଘେରାଉ କରିଥିଲେ । ଫଳରେ ଦୀର୍ଘ ୧ଘଣ୍ଟା ଧରି ଯାନବାହନ ଚଳାଚଳ ବ୍ୟାହତ ହେବା ସହ ଟୋଲ୍‌ ଆଦାୟ ବନ୍ଦ ହୋଇଯାଇଥିଲା। ପରେ ଏନ୍‌ଏଚ୍‌ଏଆଇର ଜଣେ ପ୍ରତିନିଧି ସେଠାରେ ପହଂଚି ସାଂସଦଙ୍କୁ କ୍ଷମା ମାଗିଥିଲେ। ଦୁର୍ବ୍ୟବହାର କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଏହି ଘଟଣା ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇବେ ବୋଲି ସାଂସଦ ଶ୍ରୀମତୀ ଠାକୁର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପୁଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି । ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଏହି ଘଟଣା ପୂର୍ବରୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଓ ସାଧାରଣ ଲୋକ ଏହି ଟୋଲଗେଟ୍‌ କର୍ମଚାରୀଙ୍କ ଗୁଣ୍ଡାମିର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର