ସେବାୟତଙ୍କ ମୁଣ୍ଡରେ ବଦନାମ୍‌ ବୋଝ!

ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ

ପୁରୀ: ଗତ ମାର୍ଚ୍ଚ ୧୮ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଓ ତାଙ୍କ ସହଧର୍ମିଣୀ ଶ୍ରୀମନ୍ଦିରକୁ ଆସି ମହାପ୍ର୍ରଭୁଙ୍କ ଦର୍ଶନ କରିବା ବେଳେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଉଠିଛି। ଯାହାକୁ ନେଇ ସେବାୟତ ସମାଜ ଓ ଜିଲ୍ଲାପାଳ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଏହା ସେମାନଙ୍କ ବିରୁଦ୍ଧରେ ଏକ ଷଡ୍‌ଯନ୍ତ୍ର ବୋଲି ସେବାୟତମାନେ ପ୍ରତିକ୍ରିୟାରେ କହିଛନ୍ତି। ଗତ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ଦମ୍ପତି ମହାପ୍ରଭୁଙ୍କ ଦର୍ଶନ କରିବା ବେଳେ ଗର୍ଭଗୃହରେ ମହାମହିମ ରତ୍ନ ସିଂହାସନରେ ମଥା ରଖିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଖୁଣ୍ଟିଆ ମେକାପ ସେବକ ଆଡ଼ ହେଲେ ନାହିଁ। କେତେକ ସେବକ ରାଷ୍ଟ୍ରପତିଙ୍କ ସହିତ ତାଙ୍କ ପତ୍ନୀ ଯେ କି ଭାରତର ପ୍ରଥମ ମହିଳା ତାଙ୍କ ଦେହରେ ମଧ୍ୟ ଘସି ହୋଇ ଯାଇଥିଲେ। ଏହି ଘଟଣା ପରେ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଏମିତିକି ଶ୍ରୀମନ୍ଦିରରୁ ମହାମହିମ ରାଷ୍ଟ୍ରପତିଙ୍କ ପ୍ରତ୍ୟାବର୍ତ୍ତନ ପରେ ଗଣମାଧ୍ୟମ ସାମ୍ନାରେ ଜଣେ ସେବକ ଯେଭଳି ମନ୍ତବ୍ୟ ରଖିଲେ ସେଥିରେ ବି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏ କଥା ମୌଖିକ ଭାବେ ନୁହେଁ, ଗତ ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକରେ ଏହାର ବିବରଣୀ ବିସ୍ତତ ଭାବେ ଉଲ୍ଲେଖ କରାଯାଇଛି। ଏହି ଘଟଣାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଥିବା ବେଳେ କିଛି ସେବକଙ୍କୁ ନୋଟିସ୍‌ ହେବ ବୋଲି ଆଲୋଚନା ଜୋର୍‌ ଧରିଛି। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ସହିତ ହୋଇଥିବା ଏଭଳି ଦୁର୍ବ୍ୟବହାର ପ୍ରସଙ୍ଗ ଆଲୋଚନାକୁ ଆଣି ପୁରୀ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ଆପଣାଛାଏଁ ଫସିଯାଇଥିବା କୁହାଯାଉଛି। ତେବେ ଏହି ଘଟଣାରେ ସେବାୟତ ସମାଜ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଜିଲ୍ଲା ପ୍ରଶାସନ ସେବାୟତ ସମାଜକୁ ବଦନାମ କରିବା ଲାଗି ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀଙ୍କୁ ମୋହରା କରିବାକୁ ପଛାଇ ନଥିବା ସେବାୟତମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହା ପୁରୀ ଜିଲ୍ଲାପାଳଙ୍କ ସେବାୟତ ବିରୋଧୀ ମନୋଭାବ ବୋଲି ଖୋଲାଖୋଲି ଆରୋପ କରିଛନ୍ତି ସେବାୟତ ସମାଜ। ସେମାନଙ୍କର କହିବା କଥା ହେଲା, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଯଦି ଏ ନେଇ ଅସନ୍ତୋଷ ପ୍ରକଟ କରାଯାଇଛି ତେବେ ରାଷ୍ଟ୍ରପତି ଭବନ ପକ୍ଷରୁ ଘଟଣା ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନକୁ କିଛି ଲିଖିତ ଚିଠି ଆସିଛି କି? ଯଦି ଆସିଛି ସେ ଚିଠି ଜିଲ୍ଲାପାଳ ପରିଚାଳନା କମିଟିରେ କାହିଁକି ଦେଖାଇନାହାନ୍ତି। ଏ ସଂପର୍କରେ ଛତିଶା ନିଯୋଗରେ ମଧ୍ୟ ଆଲୋଚନା କାହିଁକି ହେଲାନାହିଁ? ଘଟଣାଟି ବଡ ସମ୍ବେଦନଶୀଳ ପ୍ରସଙ୍ଗ। ଜିଲ୍ଲାପାଳ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କାହିଁକି ତିନି ମାସ ଧରି ଚୁପ୍‌ ବସିଥିଲେ। ମୋଟାମୋଟି ଏହାର ସତ୍ୟତାକୁ ନେଇ ସେବାୟତ ସମାଜ ପ୍ରଶ୍ନ ଉଠାଇଛନ୍ତି। ଯଦି ଏ ସଂକ୍ରାନ୍ତରେ ଚିଠି ଆସିନଥାଏ ଏବଂ ଜିଲ୍ଲାପାଳ ଯଦି ନିଜ ମନରୁ ଏ କଥା କହିଥାନ୍ତି ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ସେବକ ସମାଜ ଚେତାବନୀ ଦେଇଛନ୍ତି।

ପ୍ରୋଟୋକଲକୁ ଅଣଦେଖା; ସୁରକ୍ଷାରେ ଛିଦ୍ର
ମହାମହିମ୍‌ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଭାରତର ପ୍ରଥମ ନାଗରିକ। ପ୍ରଧାନମନ୍ତ୍ରୀଙ୍କ ଭଳି ତାଙ୍କର ସୁରକ୍ଷା ବ୍ୟବସ୍ଥା ମଧ୍ୟ ସ୍ୱତନ୍ତ୍ର। ପ୍ରୋଟେକଲ ଅନୁସାରେ, ରାଷ୍ଟ୍ରପତି ଯେଉଁଠିକୁ ଯାଆନ୍ତି ସେଠାରେ ତାଙ୍କର ଏଡ଼ିସିଙ୍କ ସହିତ ଏକାଧିକ ଅଙ୍ଗରକ୍ଷକ, ସୁରକ୍ଷା ଅଧିକାରୀ ନିୟୋଜିତ ଥିବା ବେଳେ ବାହ୍ୟ ସୁରକ୍ଷା ରାଜ୍ୟ ଓ ଜିଲ୍ଲା ପୁଲିସର। ପ୍ରୋଟୋକଲ ବିଧି ଅନୁସାରେ, ଶ୍ରୀମନ୍ଦିର ଦର୍ଶନ ବେଳେ ରାଷ୍ଟ୍ରପତିଙ୍କ ସହିତ କେଉଁ କେଉଁମାନେ ଉପସ୍ଥିତ ରହିବେ ତାର ଏକ ତାଲିକା ଯଥେଷ୍ଟ ପୂର୍ବରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଦିଆଯାଇଥାଏ। ଏହି କ୍ରମରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସହିତ ହାତଗଣତି ସେବାୟତ ଏହି ତାଲିକାରେ ସାମିଲ ଥିବେ ନିଶ୍ଚୟ। ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରାଯିବା ନିଶ୍ଚିତ ଭାବେ ସୁରକ୍ଷାରେ ଏକ ବଡ଼ ଛିଦ୍ର। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମଧ୍ୟ ଉତ୍ତରଦାୟୀ ବୋଲି ସେବାୟତ ସମାଜ ଅଭିଯୋଗ ଆଣିଛି।

ସମ୍ବନ୍ଧିତ ଖବର