ଦେବଗଡ଼: ଜଣେ ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ ଓ ଅସଦାଚରଣ କରିବା ଅଭିଯୋଗରେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ପୁଲିସ ରବିବାର ଶିକ୍ଷକ ସୋମନାଥ ପ୍ରଧାନଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ବମପରଡ଼ା ନୋଡାଲ ୟୁପିସ୍କୁଲର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ସୋମନାଥ ପ୍ରଧାନ ବହୁ ଦିନ ଧରି ବିଭିନ୍ନ ଆଳରେ ପିଛା କରିବା ସହ ପ୍ରେମ ନିବେଦନ କରି ଆସୁଥିଲେ। ଏହି କ୍ରମରେ ଗତ ୨୭ ତାରିଖ ଦିନ ବିଭିନ୍ନ ଆଳ କରି ଶିକ୍ଷକ ଶ୍ରୀ ପ୍ରଧାନ ଛାତ୍ରୀଙ୍କ ଘରକୁ ମଧ୍ୟ ଯାଇଥିଲେ। ତେବେ ଶନିବାର ଶିକ୍ଷକ ଶ୍ରୀ ପ୍ରଧାନ ବିଦ୍ୟାଳୟର ଏକ କୋଠରିରେ ଛାତ୍ରୀ ଜଣଙ୍କୁ ବଳପୂର୍ବକ ଆଳିଙ୍ଗନ କରି ଶରୀରର ବିଭିନ୍ନ ଅଙ୍ଗ ସ୍ପର୍ଶ କରିବା ସହିତ ଅସଦାଚରଣ କରିଥିଲେ। ଫଳରେ ଛାତ୍ରୀ ଜଣକ ବିଦ୍ୟାଳୟରେ କାନ୍ଦିବା ସହ ଘରକୁ ଯାଇ ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ତୁରନ୍ତ ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି ନିକଟରେ ଅଭିଯୋଗ କରିଥିଲେ। ତୁରନ୍ତ ବିଦ୍ୟାଳୟରେ ପରିଚାଳନା କମିଟି, ସରପଞ୍ଚ ଓ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ଏ ନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ଦିନ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ସିଆରମାଳିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ ସାହୁ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଅନୁରୂପ ଭାବେ ଅସଦାଚରଣ କରିବା ଘଟଣାରେ ଗିରଫ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/5-25.jpg)