ଚାନ୍ଦବାଲି: ମହିଳାଙ୍କୁ ଝଡ଼ାଫୁଙ୍କା ଆଳରେ ଅସଦାଚରଣ କରି ଗିରଫ ହୋଇଛି ଜଣେ ଭଣ୍ଡ ଗୁଣିଆ। ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଞ୍ଚଳର ଜନୈକା ମହିଳାଙ୍କ ଦେହ ବାରମ୍ବାର ଅସୁସ୍ଥ ହେବାରୁ ତାଙ୍କ ସ୍ୱାମୀ ସେହି ଅଞ୍ଚଳର ଜଣେ ଗୁଣିଆ ସହ ପରାମର୍ଶ କରିଥିଲେ। ‌ଝଡ଼ାଫୁଙ୍କା କରି ମହିଳାଙ୍କୁ ଭଲ କରିଦେବ ବୋଲି କହିଥିଲା ଅଭିଯୁକ୍ତ ଗୁଣିଆ ସାଧୁଆ ଜେନା। ତା’ ପରାମର୍ଶ ମୁତାବକ ଶନିବାର ସକାଳେ ମହିଳା ଜଣକ ଗାଧୋଇ ଠାକୁର ଘରେ ଥିବା ବେଳେ ସାଧୁଆ ଝଡ଼ାଫୁଙ୍କା ଆଳରେ ତାଙ୍କୁ ଅସଦାଚରଣ କରିଥିଲା।

Advertisment

ଏମିତିକି ଆଉ ଦିନେ ଘରେ ହୋମଯଜ୍ଞ କରାଯିବ ଓ ରାତିସାରା ଦୁହେଁ ଗୋଟିଏ ଘରେ ରହିବାକୁ ପଡ଼ିବ ବୋଲି କହିବାରୁ ମହିଳାଙ୍କ ଜଣକ କାନ୍ଦିଥିଲେ। ଏହି ଘଟଣାକୁ ନେଇ ମହିଳା ଓ ଗୁଣିଆଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା। ମହିଳାଙ୍କ ଏତଲା ଆଧାରରେ ବାଂଶଡା ଥାନା କେସ୍‌ ନଂ ୧୭୧/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ଗୁଣିଆକୁ ଆଇପିସି ୪୫୦ ଓ ୩୭୬(୧)ରେ ଗିରଫ କରାଯାଇଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି।