ଚିକିଟି/ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ତଥା ଗୋଳନ୍ଥରା ଥାନା ଅଧୀନ ସୋରଳ ଗ୍ରାମରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ପି.ଜଗାରାଓ ଜଣେ ମହିଳାଙ୍କୁ ତାଙ୍କ ଘରେ ପଶି ଅସଦାଚରଣ କରିବା ଏବଂ ଧରା ପଡ଼ିଯିବା ପରେ ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଏହାକୁ ଗାଁରେ ସମାଧାନ କରିବାକୁ ଉଦ୍ୟମ ଚାଲିଥିଲା। ସମାଧାନ ହୋଇ ନପାରିବାରୁ ଦୁଇ ଦିନ ପରେ ଏ ନେଇ ମହିଳାଙ୍କ ସ୍ବାମୀଙ୍କ ଏତଲା କ୍ରମେ କେସ୍ ନମ୍ବର ୪୪୫/୨୨ ଅନୁସାରେ ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ ହୋଇଛି। ଜଗାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ସଦର ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

Advertisment

ଏତଲା ଅନୁସାରେ, ସୋରଳ ଗ୍ରାମର ଖଟାଙ୍ଗ ବେହେରାଙ୍କ ପତ୍ନୀ ୪ ତାରିଖ ରାତିରେ ଶୋଇଥିଲେ। ରାତି ପ୍ରାୟ ୧୧ଟା ବେଳେ ଜଗା ତାଙ୍କ ଘରର ଟିଣ କବାଟ ଭାଙ୍ଗି ଘରେ ପଶିଥିଲେ। ଆଉ ଖଟାଙ୍ଗଙ୍କ ପତ୍ନୀକୁ ଲୁଗା ଟାଣି ଅସଦାଚରଣ କରିଥିଲେ। ତେବ‌େ ଏହି ସମୟରେ ନିଦ ଭାଙ୍ଗିଯିବା ପରେ ସେ ଚିତ୍କାର କରିବାରୁ ଜଗା ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଖଟାଙ୍ଗ ଉଠିପଡ଼ିବାରୁ ଜଗା ତାଙ୍କୁ ମଧ୍ୟ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଘଟଣା ସଂପର୍କରେ କାହାକୁ କିଛି କହିଲେ, ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ।

ଏ ନେଇ ଖଟାଙ୍ଗ ଗୋଳନ୍ଥରା ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଛି। ତେବ‌େ ଗ୍ରାମରେ ଆପୋସ ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ହେଁ, ଏହା ବିଫଳ ହୋଇଛି। ସେହିପରି ଘଟଣାକୁ ଚାପିଦେବା ଲାଗି ପୁଲିସ ଚେ‌ଷ୍ଟା କରୁଛି ବୋଲି ଖଟାଙ୍ଗ ଅଭିଯୋଗ ଆଣିଛନ୍ତି।