ପକ୍ଷାଘାତ ପୀଡ଼ିତା ବୃଦ୍ଧାଙ୍କୁ ଦୁଷ୍କର୍ମ ଓ ଆକ୍ରମଣ

ବାଲେଶ୍ବର: ବାଲେଶ୍ବର ସଦର ଥାନା ପରିଖି ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପକ୍ଷାଘାତ ରୋଗରେ ପୀଡ଼ିତା ୬୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ସହ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବୃଦ୍ଧାଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ପରିଖି ଫାଣ୍ଡି ଅଧୀନ ଲୁଣାପାହି ଗ୍ରାମର ଜଣେ ୬୫ ବର୍ଷୀୟା ବିଧବା ବୃଦ୍ଧା ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ନିଜ ଜ୍ବାଇଁ ଘରେ ରହୁଛନ୍ତି।

ବୃଦ୍ଧାଜଣକ ପ୍ରତିଦିନ ଘର ବାହାର ପିଣ୍ଡାରେ ଶୋଇଥା’ନ୍ତି। ଗତ ସୋମବାର ଦିନ ରାତି ସ‌ାଢ଼େ ୯ଟା ବେଳେ ତାଙ୍କ ଝିଅ ଖାଇବାକୁ ଦେଇସାରିବା ପରେ ଘରେ ତାଲା ପକାଇ ପଡ଼ିଶାଘରକୁ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିଲେ। ଏତିକି ବେଳେ ସେହି ଗ୍ରାମର ଗେଣ୍ଡୁ ଓରଫ୍‌ ସପନ ଭୂୟାଁ (୨୫) ନିଶାଗ୍ରସ୍ତ ଅବସ୍ଥାରେ ଆସି ବୃଦ୍ଧାଜଣକୁ ନିଦରୁ ଉଠାଇଥିଲେ। ଏହାପ‌େର ତାଙ୍କୁ ତାଙ୍କ ଘର ଚାବି ମାଗିଥିଲେ। ବୃଦ୍ଧାଜଣକ କିଛି ନକହି ପାଟି କରିବାରୁ ଗେଣ୍ଡୁ ଉତ୍ତ୍ୟକ୍ତ ହୋଇ ତାଙ୍କ ମୁହଁକୁ ପଥରରେ ଛେଚିବା ସହ ବୃଦ୍ଧାଙ୍କ ସହ ଦୁଷ୍କର୍ମ କରିଥିଲା। ରାତି ପାହିବା ପରେ ଯେତେବେଳେ ତାଙ୍କ ଝିଅ ଘରକୁ ଫେରିଥିଲେ, ମାଆଙ୍କର ଏଭଳି ଅବସ୍ଥା ଦେଖି ଘଟଣା ସମ୍ପର୍କରେ ପଚାରିଥିଲେ। ସବୁ ଜାଣିବା ପରେ ଝିଅ ଗ୍ରାମବାସୀଙ୍କୁ ଜଣାଇବା ସହ ପରିଖି ଫାଣ୍ଡିକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ସପନକୁ ଗିରଫ କରିଥିବା ସୂଚନା ଦେଇଛି।

ସମ୍ବନ୍ଧିତ ଖବର