ମଦ ପିଇବା ପରେ ବାପା ବକେୟା ଟଙ୍କା ଦେଲାନି ବୋଲି ୭ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ

ରାୟଗଡ଼ା : ଦେଶୀ ଭାଟିରେ ମଦ ପିଇବା ପରେ ବକେୟା ଟଙ୍କା ବାପା ଦେଲାନି ବୋଲି ୭ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ। ରାୟଗଡ଼ା ସହରରେ ଏ ଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ପରେ ପୁଲିସ୍ ଅଭିଯୁକ୍ତ ବଳରାମ ଯୋଗୀକୁ ଗିରଫ କରି ଅଧିକ ପଚରା ଉଚରା କରୁଛି। ରାୟଗଡ଼ା ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାଶ ମାମଲାର ତଦନ୍ତ କରୁଛନ୍ତି।

ପୁଲିସ୍ ସୂଚନା ମୁତାବକ, ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିବା ଝିଅର ବାପା ନିୟମିତ ଭାବେ ଅଭିଯୁକ୍ତ ବଳରାମ ଯୋଗୀଙ୍କ ଦେଶୀ ମଦ ଭାଟିରେ ମଦ୍ୟପାନ କରନ୍ତି। କିଛି ଦିନ ଧରି ପୀଡ଼ିତାଙ୍କ ବାପା ଟଙ୍କା ନ ଦେଇ ବାକିରେ ମଦ ପିଉଥିଲେ। ବକେୟା ଟଙ୍କା ଅଧିକା ହେବା ସହ ଠିକ୍ ସମୟରେ ଟଙ୍କା ଫେରାଇବାରେ ବିଫଳ ଯୋଗୁ ଅଭିଯୁକ୍ତ ବଳରାମ ବାରମ୍ବାର ପୀଡ଼ିତାଙ୍କ ବାପାକୁ ଟଙ୍କା ମାଗିବାକୁ ଘରକୁ ଆସୁଥିଲେ। କିନ୍ତୁ ଆଜି କାଲି କହି ପୀଡ଼ିତାଙ୍କ ବାପା ଦିନ ଗଡ଼ାଇ ଚାଲିଥିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ମଙ୍ଗଳବାର ଦିନ ବି ଅଭିଯୁକ୍ତ ବଳରାମ ପୀଡ଼ିତାଙ୍କ ଘରକୁ ଟଙ୍କା ମାଗିବାକୁ ଯାଇଥିଲେ। ଏହି ସମୟରେ ଘରେ ୭ ବର୍ଷର ଝିଅ ଏକାକି ଥିବା ଦେଖି ଦୁଷ୍କର୍ମ ଉଦ୍ୟମ କରିଥିଲା। ଭୟରେ ନାବାଳିକା ଚିତ୍କାର କରିବା ପରେ ପଡ଼ୋଶୀ ଓ ପୀଡ଼ିତାଙ୍କ ମା ଦୌଡ଼ି ଆସିବା ପରେ ଅଭିଯୁକ୍ତ ବଳରାମ ଦୌଡ଼ି ପଳାଇଥିଲା।

ବୁଧବାର ପୀଡ଼ିତାଙ୍କ ମା ଏ ନେଇ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଦାୟିତ୍ବ ଏସଡିପିଓ ଦିବ୍ୟଜ୍ୟୋତି ଦାଶ ନେଇଥିଲେ। ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ୍ ଗାନ୍ଧୀନଗର ଘରେ ପହଞ୍ଚିବା ପୂର୍ବରୁ କୌଣସି ସୂତ୍ରରୁ ଖବର ପାଇ ବଳରାମ ଫେରାର ହୋଇଯାଇଥିଲା। ‌ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ରାୟଗଡ଼ା ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଗଠନ ହୋଇଥିଲା। ଗୁଣପୁର ଅଞ୍ଚଳରେ ଅଭିଯୁକ୍ତ ଲୁଚିଥିବା ସ୍ପଷ୍ଟ ହେବା ପରେ ପୁଲିସ୍ ଟିମ୍ ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲା। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତା ଓ ଅଭିଯୁକ୍ତ ଉଭୟଙ୍କର ଡାକ୍ତରୀ ମାଇନା ଶେଷ ହୋଇଛି।

ସମ୍ବନ୍ଧିତ ଖବର