କଟକ: ଏସ୍‌ସିବି ମେଡିକାଲ କଲେଜ ହୃଦ୍‌ରୋଗ ବିଭାଗରେ ଜଣେ ଡାକ୍ତରୀ ଛାତ୍ରଙ୍କ ମା’ ଓ ମାଇଁଙ୍କୁ ଦୁଷ୍କର୍ମ ଘଟଣାର ତଦନ୍ତ ଆରମ୍ଭ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠିତ ତିନି ଜଣିଆ କମିଟି। ରାଜ୍ୟ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍‌ଇଟି) ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର, ଏସ୍‌ସିବି ଅଧ୍ୟକ୍ଷ ଦାୟିତ୍ବରେ ଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଯୁଗ୍ମ ଡିଏମ୍‌ଇଟି ପ୍ରଫେସର ଡାକ୍ତର ରୋମା ରତନ ଏହି ତିନିଜଣିଆ କମିଟି ଆଜି ଏସ୍‌ସିବିର ଡିନ୍‌ ତଥା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପହଞ୍ଚି ହୃଦ୍‌ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁର କିଶୋର ମିଶ୍ରଙ୍କ ସହ ଘଟଣା ସଂପର୍କ‌ରେ ଆଲୋଚନା କରିଥିଲେ। ରବିବାର ଦିନ ଏସ୍‌ସିବିରେ ଇକୋ ପରୀକ୍ଷା ବନ୍ଦ ଥିବା ବେଳେ ଉକ୍ତ ଡାକ୍ତରୀ ଛାତ୍ରଙ୍କ ମା’ ଓ ମାଇଁଙ୍କୁ ପରୀକ୍ଷା ପାଇଁ ଡକାଯାଇଥିଲା। ସେହି ସମୟରେ କୌଣସି ମହିଳା ଆଟେଣ୍ଡାଣ୍ଟ ଉପସ୍ଥିତ ନଥିଲେ ବୋଲି ପ୍ରାରମ୍ଭିକ ତଥ୍ୟ ସାମ୍ନାକୁ ଆସିଛି।

Advertisment

ଏସ୍‌ସିବିରେ ଡିଏମ୍‌ଇଟିଙ୍କ ନେତୃତ୍ବରେ ୩ ଜଣିଆ କମିଟିର ତଦନ୍ତ
୨ ପୀଡ଼ିତାଙ୍କ ବୟାନ ରେକର୍ଡ, ପୁଲିସ ମାଗିଲା ସିସି କ୍ୟାମେରା ଫୁଟେଜ୍‌
ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କାର ସହ ରଦ୍ଦ ହୋଇପାରେ ସାର୍ଟିଫିକେଟ୍

ଡିଏମ୍‌ଇଟି ପ୍ରଫେସର ମିଶ୍ର କହିଛନ୍ତି ଯେ ଘଟଣା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି। ପ୍ରାଥମିକ ରିପୋର୍ଟ୍ ସରକାରଙ୍କୁ ପ୍ରଦାନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ହୃଦ୍‌ରୋଗ ବିଭାଗର ମୁଖ୍ୟ, ପ୍ରଫେସର ଓ ଉପସ୍ଥିତ ଥିବା ସମସ୍ତ ଷ୍ଟାଫ୍‌ଙ୍କୁ ପଚାରଉଚରା କରାଯିବ। ଏସ୍‌ଓପି ପାଳନ ହୋଇଥିଲା ନା ନାହିଁ ତାହାର ଅନୁଧ୍ୟାନ କରାଯିବ। ତଦନ୍ତ କମିଟିର ସୁପାରିସ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗାମୀ ଦିନରେ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନ ହୁଏ ସେଥିପାଇଁ ଏସ୍‌ଓପି ପ୍ରସ୍ତୁତ ହେବ। ଏହା ସହିତ ଅଭିଯୁକ୍ତ ଡାକ୍ତର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଡିଏମ‌୍ଇଟି ସୂଚନା ଦେଇଛନ୍ତି। ଏଭଳି ଘଟଣାରେ ସଂପୃକ୍ତ ଡାକ୍ତରକୁ‌ ମେଡିକାଲ କଲେଜରୁ ବହିଷ୍କାର ସହିତ ତା’ର ଲାଇସେନ୍ସ ଓ ସାର୍ଟିଫିକେଟ୍ ରଦ୍ଦ କରାଯିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇ ପାରିବ। ଅଭିଯୁକ୍ତ ଡାକ୍ତର ଦିଲବର୍ ସିଂହ ଠାକୁରକୁ ପୁଲିସ ଗିରଫ କରି ଗତକାଲି କୋର୍ଟଚାଲାଣ କରିଛି।

ନ୍ୟପଟେ ଦୁଇ ପୀଡ଼ିତା ଆଜି ବଡ଼ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ସେମାନଙ୍କ ମେଡିକାଲ ରିପୋର୍ଟ ସାତ ଦିନ ଭିତରେ ମିଳିଯିବ ବୋଲି ଆଶା କରାଯାଉଛି। ନିୟମ ଅନୁଯାୟୀ ଦୁଇ ପୀଡ଼ିତାଙ୍କର ପୁଲିସ ଓ ମାଜିଷ୍ଟ୍ରେଟଙ୍କ ସାମନାରେ ବୟାନ ରେକର୍ଡ କରାଯାଇଛି। ମଙ୍ଗଳାବାଗ ଥାନା ଆଇଆଇସି ଏସ୍‌ସିବି ହୃଦ୍‌ରୋଗ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖି ବିଭାଗ ପରିସରରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ଦେବାକୁ ଅନୁରୋଧ କରିଛନ୍ତି। ଏହା ସହିତ ସିନିଅର ରେସିଡେଣ୍ଟ୍ ହଷ୍ଟେଲ ଓ ପିଜି ‌‌ହଷ୍ଟେଲ୍ ପରିସରରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ଦେବା ପାଇଁ ମଧ୍ୟ ଚିଠି ଲେଖାଯାଇଛି। ରବିବାର ଦିନ ଯେଉଁ ସୁରକ୍ଷା କର୍ମୀ ଅଭିଯୁକ୍ତକୁ ଇକୋ ରୁମ୍ ଚାବି ଦେଇଥିଲା, ତାଙ୍କୁ ସାକ୍ଷୀ ଭାବେ ଗ୍ରହଣ କରି ପୁଲିସ ପଚରାଉଚରା ଆରମ୍ଭ କରିଛି। ସିସି କ୍ୟାମେରା ଫୁଟେଜ୍ ମିଳିବା ପରେ ଘଟଣା ସମୟରେ ଉପସ୍ଥିତ ଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇ ପୁଲିସ ପକ୍ଷରୁ ଜେରା କରାଯିବ। ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖ ରବିବାର ଦିନ ୧୦ଟାରେ ଜଣେ ଡାକ୍ତରୀ ପିଜି ଛାତ୍ରଙ୍କ ମା’ ଓ ମାଇଁଙ୍କୁ ଇକୋ ରୁମ୍‌କୁ ନେଇ ଡାକ୍ତର ଦିଲବର୍ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡିବା ପରେ ଡାକ୍ତରଙ୍କୁ କେତେକ ଯୁବକ ନିସ୍ତୁକ ମାଡ଼ ମାରିଥିଲେ।