ଅନୁଗୁଳ : ଚତୁର୍ଥ ଶ୍ରେଣୀ ବହିରେ ଭୁଲ ପାଠ। ପିଲାଙ୍କ ପାଇଁ ଲେଖାଯାଇଛି, ‘ଭାରତରେ ୨୯ ରାଜ୍ୟ ଓ ୭ କେନ୍ଦ୍ର ଶାସିତ ଅଞ୍ଚଳ’। କରୋନା ପାଇଁ ରାଜ୍ୟରେ ଯଦିଓ ଏଯାବତ୍ ସ୍କୁଲ ଖୋଲି ନାହିଁ, ତଥାପି ଚଳିତ ୨୦୨୦ମସିହାରେ ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଚତୁର୍ଥ ଶ୍ରେଣୀ ପିଲାଙ୍କ ପାଇଁ ଯେଉଁ ‘ଆମେ ଓ ଆମ ପରିବେଶ’ ବହି ଛାପିଛି, ସେଥିରେ ଏ ଭୁଲ ତଥ୍ୟ ଉଲ୍ଲେଖ କରାଯାଇଛି। ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ତ୍ରୁଟିର ତୁରନ୍ତ ସୁଧାର ପାଇଁ ପ୍ରାଥମିକ ଶିକ୍ଷକ ସଂଘ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଉଲ୍ଲେଖଯୋଗ୍ୟ, ଆଜକୁ ପ୍ରାୟ ବର୍ଷକ ତଳେ ଅର୍ଥାତ୍ ୨୦୧୯ମସିହା ଅଗଷ୍ଟ ୬ତାରିଖ ଦିନ ଭାରତର ଯେଉଁ ନିଷ୍ପତ୍ତି ବିଶ୍ବକୁ ଚକିତ କରିଥିଲା ତାହା ଥିଲା ସମ୍ବିଧାନରୁ ଧାରା ୩୭୦କୁ ଉଚ୍ଛେଦ ଏବଂ ‘ଜାମ୍ମୁ ଓ କଶ୍ମୀର’ ରାଜ୍ୟର ସ୍ବତନ୍ତ୍ର ମାନ୍ୟତା ହଟାଇ ତାହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା। କେନ୍ଦ୍ର ସରକାରଙ୍କର ଏ ନିଷ୍ପତ୍ତି ପରେ ଭାରତର ରାଜ୍ୟ ସଂଖ୍ୟା ୨୯ରୁ ୨୮କୁ କେବଳ ଖସିଲା ନାହିଁ, ବରଂ ଜାମ୍ମୁ ଓ କଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ବୋଲି ମାନ୍ୟତା ପାଇଲା ପରେ କେନ୍ଦ୍ର ଶାସିତ ଅଞ୍ଚଳର ସଂଖ୍ୟାରେ ବି ପରିବର୍ତ୍ତନ ଘଟିଲା।
/sambad/media/post_attachments/wp-content/uploads/2020/08/science4.png)
ପୂର୍ବରୁ ଦେଶରେ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ଥିଲା। ଜାମ୍ମୁ ଓ କଶ୍ମୀର ରାଜ୍ୟ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ଭାଗବଣ୍ଟା ପରେ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇଥିଲା। କିନ୍ତୁ, ମଝିରେ ଡାମନ ଏବଂ ଡ୍ୟୁ, ଦାଦ୍ରା ଓ ନଗର ହାବେଳୀ ପ୍ରମୁଖ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳକୁ ଏକ କରିବାକୁ ସଂସଦରେ ବିଲ ପାରିତ ହେଲା। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳକୁ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣନା କରାଯାଇଛି। ଯାହାର ନାମ ଦାଦ୍ରା ଏବଂ ନଗର ହାବେଳୀ ଏବଂ ଡାମନ ଏବଂ ଡ୍ୟୁ କରାଯାଇଛି। ୨୦୧୯ମସିହା ଡିସେମ୍ବର ତାରିଖ ଦେଶର ଗେଜେଟିୟରରେ ଏହା ପ୍ରକାଶ ପାଇବା ପରେ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ସଂଖ୍ୟା ୯ରୁ କମିଯାଇ ବର୍ତ୍ତମାନ ୮ରେ ପହଞ୍ଚିଛି।
କିନ୍ତୁ, ଚଳିତ ୨୦୨୦ ମସିହାରେ ପ୍ରିଣ୍ଟ୍ କରାଯାଇଥିବା ଚତୁର୍ଥ ଶ୍ରେଣୀର ‘ଆମେ ଓ ଆମ ପରିବେଶ’ ବହିରେ ଦେଶର ଭୌଗୋଳିକ ସ୍ଥିତିରେ ହୋଇଥିବା ଏ ସବୁ ପରିବର୍ତ୍ତନକୁ ସ୍ଥାନିତ କରାଯାଇ ନାହିଁ। ବରଂ, ପିଲାଙ୍କ ପାଖରେ ସରକାର ପୁରୁଣା ଚିତ୍ର ପଠାଇ ଆଜି ବି ଦେଶରେ ୨୯ରାଜ୍ୟ ଏବଂ ୭କେନ୍ଦ୍ର ଶାସିତ ଅଞ୍ଚଳ ରହିଥିବା ଶିଖାଯାଉଛି।
କେବଳ ସେତିକି ନୁହେଁ, ବହିରେ ପିଲାଙ୍କୁ ପଚରାଯାଇଥିବା ପ୍ରଶ୍ନ ବି ଦ୍ବନ୍ଦ୍ବ ସୃଷ୍ଟି କରୁଛି। ‘ଆମ ଦେଶରେ କେତୋଟି ରାଜ୍ୟ?’ ବୋଲି ପିଲାଙ୍କୁ ଏକ ପ୍ରଶ୍ନ ପଚରାଯାଇଛି। ବିଷୟବସ୍ତୁରେ ୨୯ଟି ରାଜ୍ୟ କଥା ଉଲ୍ଲେଖ କରାଯାଇଥିବା ବେଳେ ପ୍ରଶ୍ନର ସାମ୍ଭାବ୍ୟ ଉତ୍ତରରେ ଦିଆଯାଇଛି ୨୫, ୨୭,୨୮ ଓ ୩୦। ଭୁଲ୍ ତଥ୍ୟ ସାଙ୍ଗକୁ ସରକାରଙ୍କର ଏ ପୁସ୍ତକ ପିଲାଙ୍କୁ ଦ୍ବନ୍ଦ୍ବ ଭିତରକୁ ଠେଲି ଦେଉଛି ବୋଲି ଅଭିଭାବକ ମହଲ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀମାନେ ଯଦିଓ କୌଣସି ପ୍ରତିକ୍ରିୟା ରଖିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଫେରାଦ୍ ହୋଇଛି। ଫେଡେରେସନ୍ର ଅନୁଗୁଳ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ‘ସମ୍ବାଦକୁ କହିଛନ୍ତି, ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ଶିକ୍ଷକ ଏବଂ ପିଲାଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ବହି ଛାପିବା ବେଳେ ଏ ତ୍ରୁଟି ମାର୍ଜନା କରିବା ପାଇଁ ଫେଡେରେସନ୍ ପକ୍ଷରୁ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ଲିଖିତ ଅବଗତ କରାଯାଇଛି।