ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସଦାଚରଣ ଘଟଣା : ଜାତୀୟ ସ୍ତରକୁ ଛୁଇଁଲାଣି ଚର୍ଚ୍ଚା

ଭୁବନେଶ୍ୱର/ନୂଆଦିଲ୍ଲୀ : ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀଙ୍କୁ ଅସଦାଚରଣ କରାଯାଇଥିବା ପ୍ରସଙ୍ଗକୁ ଖୋଦ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ସରକାର ଅସ୍ୱୀକାର କରିଛନ୍ତି। ଏମିତି କିଛି ଘଟଣା ଘଟିନାହିଁ କିମ୍ବା ସେଭଳି ଅଭିଯୋଗ ଆସିନାହିଁ ବୋଲି ଉଭୟ ଗଣମାଧ୍ୟମକୁ କହିସାରିଲେଣି। ହେଲେ ଏହି ପ୍ରସଙ୍ଗକୁ ନେଇ କିନ୍ତୁ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ସେପଟେ ବିଜେଡି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି।

ଆଜି ଦଳିତ ନେତା ଜିଗ୍ନେଶ ମେଓ୍ଵାନୀ ଏହି ଘଟଣା ପାଇଁ ସିଧାସଳଖ ବିଜେପିକୁ ଦାୟୀ କରିଛନ୍ତି। କହିଛନ୍ତି, ବିଜେପି ସମ୍ବିଧାନ ବଦଳରେ ମନୁସ୍ମୃତିର ପ୍ରଚଳନ କରିବାକୁ ଚେଷ୍ଟା କରୁଛି। ଯେତେବେଳେ ପୁରୀ ମନ୍ଦିର ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ଏଭଳି ଆଚରଣ ହେଉଛି ସେତେବେଳେ ଜଣେ ଦଳିତ ଦେଶରେ କିଭଳି ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଁ ଏହି ଘଟଣାରେ ରାଷ୍ଟ୍ରପତିଙ୍କ ସହ ଅଛି, ବିଜେପି ଆସିପାରିବ କି ବୋଲି ସେ ପଚାରିଛନ୍ତି।

ଅପରପକ୍ଷେ, ବିଶିଷ୍ଟ ଐତିହାସିକ ତଥା ସ୍ତମ୍ଭକାର ରାମଚନ୍ଦ୍ର ଗୁହା ଏହି ଘଟଣାରେ ମତବ୍ୟକ୍ତ କରି କହିଛନ୍ତି, ପୁରୀ ସେବାୟତଙ୍କ ଏଭଳି ଆଚରଣ,ବିଜେପି ଚିନ୍ତାଧାରର ପ୍ରତିଫଳନ। ଇନ୍ଦିରା ଗାନ୍ଧୀ ଜଣେ ପାର୍ସୀଙ୍କୁ ବିବାହ କରିଥିବାରୁ ତାଙ୍କୁ ସେବାୟତମାନେ ମନ୍ଦିରରେ ପୂରାଇ ଦେଲେନି। ଛୁଆଁ ଅଛୁଆଁ ଭେଦଭାବ ଦୂର କରିବାକୁ ଅଭିଯାନ ଚଳାଇଥିବାରୁ ମହାତ୍ମାଗାନ୍ଧୀଙ୍କ ସହ ସେମାନେ ଦୁର୍ବବ୍ୟବହାର କରିଥିଲେ ବୋଲି ଗୁହା ତାଙ୍କ ଟ୍ଵିଟରରେ କହିଛନ୍ତି।

ଏପଟେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରପତି ଦର୍ଶନ କରିବାକୁ ଆସିଥିବା ବେଳେ ତାଙ୍କ ଧର୍ମପତ୍ନୀଙ୍କ ସହ ଅସଦ୍‌ ବ୍ୟବହାରର ଘଟଣା ତାଙ୍କ ନଜରକୁ ଆସି ନାହିଁ। ଷଡ଼୍‌ଯନ୍ତ୍ର ଓ ହୀନ ଉଦ୍ଦେଶ୍ୟ ରଖି ଏପରି କଥାକୁ କିଏ ଓ କାହିଁକି ପ୍ରଚାର କରିଛି ଏହା ନେଇ ଶ୍ରୀ ପ୍ରଧାନ ପ୍ରଶ୍ନ ଉଠାଇବା ସହ ମୁଖ୍ୟମନ୍ତ୍ରୀ ନିଜର ନିରବତା ଭାଙ୍ଗି ସ୍ପଷ୍ଟୀକରଣ କାହିଁକି ଦେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପ୍ରଧାନ ବିଜେଡିର ପ୍ରମୁଖ ପ୍ରବକ୍ତା ପ୍ରତାପ ଦେବଙ୍କ ବୟାନର ପୃଷ୍ଠଭୂମି ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ତୃତୀୟ ମହଲାରୁ ଓହ୍ଲାଇ ରାଜ୍ୟ ସଚିବାଳୟରେ ଦର୍ଶନ ସମୟରେ ଅସଦ୍‌ବ୍ୟବହାର ନେଇ ରାଷ୍ଟ୍ରପତି ଭବନରୁ ପତ୍ର ଆସିଥିବା ସୂଚନା ଦେଇଥିଲେ । ଶ୍ରୀ ପ୍ରଧାନ ପଚାରିଛନ୍ତି ଯେ ପ୍ରତାପ ଦେବଙ୍କୁ ଏହି ସୂଚନା ରାଜ୍ୟର ମୁଖ୍ୟମନ୍ତ୍ରୀ ନା ମୁଖ୍ୟ ସଚିବ କିଏ ଦେଇଥିଲେ , ତାହା ସ୍ପଷ୍ଟ କରନ୍ତୁ ।

ଏଯାଏ ଏହି ବିବାଦୀୟ ପ୍ରସଙ୍ଗରେ ଚୁପ୍‌ ଥିବା ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, ଶ୍ରୀମନ୍ଦିରରେ ସେଭଳି କୌଣସି ଘଟଣା ଘଟି ନ ଥିଲା। ଏ ସମ୍ପର୍କରେ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟୀକରଣ ରଖି ସାରିଛନ୍ତି। ତେବେ ପରିଚାଳନା କମିଟି ବୈଠକରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ କଥା ଉଠିଲା କିପରି, ଏହି ପ୍ରଶ୍ନରେ ଉତ୍ତର ଦେଇ ମହେଶ୍ୱର କହିଛନ୍ତି, ‘ସେ କଥା ପୂର୍ବତନ ମୁଖ୍ୟ ପ୍ରଶାସକଙ୍କୁ ପଚାରନ୍ତୁ, ମୁଁ କହି ପାରିବିନି।’

ସେହିପରି କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି। କହିଛନ୍ତି, ରାଜ୍ୟ ସରକାରଙ୍କୁ ବଦନାମ ପାଇଁ ବିଜେପି ଏଭଳି ଷଡ଼୍‌ଯନ୍ତ୍ର ରଚନ କରିଥାଇପାରେ।

ଉଲ୍ଳେଖଯୋଗ୍ୟ, ୩ ମାସ ତଳେ ରାଷ୍ଟ୍ରପତି ଦମ୍ପତି ପୁରୀ ଆସିଥିବାବେଳେ ରତ୍ନ ସିଂହାସନ ନିକଟରେ ସେବାୟତ ସେମାନଙ୍କ ସହ ଅସଦାଚରଣ କରିଥିବା ନେଇ ଅଭିଯୋଗ ଉଠିଛି। ଆଉ କେହି ନୁହେଁ, ଖୋଦ୍‌ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ବିବରଣୀରେ ଏହା ସ୍ଥାନ ପାଇଛି। ମାତ୍ର ଏବେ ଏହି ପ୍ରସଙ୍ଗକୁ ବର୍ତମାନର ଶ୍ରୀମନ୍ଦିର ପ୍ରଶାସକ ଓ ମୁଖ୍ୟଶାସନ ସଚିବ ଅସ୍ୱୀକାର କରିସାରିଛନ୍ତି।

ସମ୍ବନ୍ଧିତ ଖବର