ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲା : କମିଟି ଆଗରେ ହାଜର ହେଲେ ନିଲମ୍ବିତ ଉପଜିଲ୍ଲାପାଳ

ମୋ ବିରୋଧରେ ଷଡ଼୍‌ଯନ୍ତ୍ର ହୋଇଛି: ସଞ୍ଜୟ ମିଶ୍ର
ମୁଁ କାହିଁକି କରିବି ଷଡ଼୍‌ଯନ୍ତ୍ର: ଅଭିଯୋଗକାରିଣୀ

ବଲାଙ୍ଗୀର : ନିଜ ଚାମ୍ବର ଭିତରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ନେଇ ବଲାଙ୍ଗୀରର ନିଲମ୍ବିତ ଉପଜିଲ୍ଲାପାଳ ସଂଜୟ ମିଶ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଆଜି ପ୍ରଶାସନ ଦ୍ୱାରା ଗଠିତ ହୋଇଥିବା ସ୍ଥାନୀୟ ଅଭିଯୋଗ କମିଟି (ଏଲ.ସି.ସି)ର ଅଧ୍ୟକ୍ଷା ଶାନ୍ତିଲତା ବହିଦାର, ସଦସ୍ୟ ବିଦ୍ୟୁତଲତା ଖମାରୀ, ଆଇନଜୀବୀ ଭକ୍ତ ନାୟକ, ଡେପୁଟି କଲେକ୍ଟର ଶୁଚିତା ପୁଷ୍ପା, ସୁରକ୍ଷା ଅଧିକାରୀ ଭଗବତୀ ଗୁରୁ ପ୍ରମୁଖ ୫ ଜଣ ସଦସ୍ୟଙ୍କ ଆଗରେ ଉପସ୍ଥିତ ହୋଇ ନିଜ ପକ୍ଷ ରଖିଛନ୍ତି ଶ୍ରୀ ମିଶ୍ର।

ପୂର୍ବରୁ ନୋଟିସ ପାଇଥିବାରୁ ଆଜି ଶ୍ରୀ ମିଶ୍ର ଠିକ୍‌ ଦିନ ୧୧ଟାରେ ଡିଏସ୍‌ଡବ୍ଲୁଓଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ। ୫ ଜଣିଆ କମିଟି ଆଗରେ ପ୍ରାୟ ଦୁଇ ଘଣ୍ଟା ଧରି ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ତଦନ୍ତକାରୀ ଟିମ୍‌ ସମ୍ମୁଖରେ ସେ କହିଥିଲେ, ‘ମୁଁ ଥିବା ସମୟରେ ସହରରେ ଅନେକ ଉନ୍ନୟନମୂଳକ କାମ ହୋଇଛି। ସହରରେ ଚାଲିଥିବା ଜବରଦଖଲ ଉଚ୍ଛେଦ ଏବଂ ଅଫିସର କିଛି କର୍ମଚାରୀଙ୍କ ବିରୋଧରେ ନେଇଥିବା କଠୋର ପଦକ୍ଷେପ ଯୋଗୁଁ ମୋର ବିରୋଧରେ ଏକ ବଡ଼ ଷଡ଼୍‌ଯନ୍ତ୍ର।’ ବାସ୍‌,ଏତିକି କହି ସେ ଚାଲିଯାଇଥିଲେ।

ନିଲମ୍ବିତ ଉପଜିଲ୍ଲାପାଳଙ୍କ ବୟାନ ରେକର୍ଡ ପରେ ଦ୍ୱିତୀୟ ଥର ପାଇଁ ପୀଡ଼ିତାଙ୍କୁ ଡାକିଥିଲା ତଦନ୍ତକାରୀ କମିଟି। ଦିନ ୧୧ଟାରୁ ଦ୍ୱିପହର ୨ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ଉଭୟ ଅଭିଯୋଗକାରିଣୀ ଓ ଅଭିଯୁକ୍ତଙ୍କର ବୟାନ ରେକର୍ଡ କରିଥିଲା କମିଟି। ହେଲେ ବୟାନ ରେକର୍ଡ ପରେ ଗଣମାଧ୍ୟମ ଆଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଥିଲେ ଅଭିଯୋଗକାରିଣୀ। ସେ କହିଥିଲେ, ‘ମୁଁ କାହିଁକି କେଉଁ ଷଡ଼୍‌ଯନ୍ତ୍ରରେ ଭାଗ ନେବି? ମୁଁ ଜଣେ ମହିଳା। ମୋ ଉପରେ ଯାହା ଘଟିଛି ତାହାହିଁ ଲେଖିକି ଦେଇଛି। ତେଣୁ ତଦନ୍ତ କମିଟି ଉପରେ ଭରସା ଅଛି ମୋତେ ନ୍ୟାୟ ମିଳିବ।’

କମିଟିର ଅଧ୍ୟକ୍ଷା ଶାନ୍ତିଲତା ବହିଦାର ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ‘ତଦନ୍ତ ସଂପର୍କରେ କିଛି କହିହେବ ନାହିଁ। କାରଣ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦେବୁ। ହେଲେ ପରିସ୍ଥିତି ଯାହା ହେଲାଣି ନାରୀକୁ ଦୁର୍ଗା ହେବାକୁ ପଡ଼ିବ।’

ସୂଚନା ମୁତାବକ ଆସନ୍ତା ୧୦ ଦିନ ଭିତରେ ନିଲମ୍ବିତ ଉପଜିଲ୍ଲାପାଳଙ୍କୁ ତାଙ୍କ ବୟାନ ସେ ନିଜେ ଲିଖିତ ଆକାରରେ ଦେବାକୁ କମିଟି ନିର୍ଦେଶ ଦେଇଛି। ଆଉ କମିଟି ୯୦ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଉପସ୍ଥାପନ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର