କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ! କଲେଜର ଛାତ୍ରୀ ନିବାସ (ହଷ୍ଟେଲ)କୁ ପଶି ତିନି ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଦୁର୍ବୃତ୍ତ। ଏପିରିକି, ୨ଜଣ ଛାତ୍ରୀଙ୍କ ନଗଦ ୨୫ଶହରୁ ଅଧିକ ଟଙ୍କା, ମୋବାଇଲ୍ ଫୋନ୍, ଚାର୍ଜର୍ ବି ନେଇ ଯାଇଛନ୍ତି। ଏହି ଘଟଣାକୁ ନେଇ କଲେଜରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ରୀମାନଙ୍କ ଅଭିଯୋଗ ପରେ କଲେଜ କର୍ତୃପକ୍ଷ ସୁପରିନ୍ଟେଣ୍ଡେଣ୍ଟ୍ଙ୍କୁ ବଦଳାଇ ଦେଇଛନ୍ତି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ପାଚେରି ଡେଇଁ କଲେଜ ହତା ଭିତରକୁ ପଶିଥିଲେ। ଆଗପଟେ ରାତ୍ରି ଜଗୁଆଳି ଥିବାରୁ ଦୁର୍ବୃତ୍ତମାନେ ହଷ୍ଟେଲ୍ ପଛପଟକୁ ଯାଇ ୬, ୭, ୯, ୧୦ ଓ ୧୨ନମ୍ବର ରୁମ୍ର ଝରକା ଭାଙ୍ଗି ଛାତ୍ରୀଙ୍କୁ ଅସଦାଚରଣ କରିବା ସହିତ ସେମାନଙ୍କ ପୋଷାକପତ୍ର କାଟି ପକାଇଛନ୍ତି। ଏଥିସହ ଟଙ୍କା, ମୋବାଇଲ୍ ଏବ˚ ଚାର୍ଜର ନେଇ ଯାଇଥିବା ସୁପରିନଟେଣ୍ଡେଣ୍ଟ୍ ପୂର୍ଣ୍ଣମାସୀ ପଣ୍ତା ଅଭିଯୋଗରେ ଦର୍ଶାଇଛନ୍ତି। ରାତି ପ୍ରାୟ ୩ଟାରୁ ୪ଟା ଭିତରେ ଏଭଳି ଘଟଣା ଘଟିଥିବା ଛାତ୍ରୀମାନେ କହିବା ସହିତ ସକାଳେ ଏ ସଂପର୍କରେ ସୁପରିନଟେଣ୍ଡେଣ୍ଟ୍ଙ୍କୁ ଜଣାଇଥିଲେ। ମାତ୍ର ସୁପରିନଟେଣ୍ଡେଣ୍ଟ୍ ଘଟଣାକୁ ଗୁରୁତ୍ବର ସହ ନେବା ପରିବର୍ତ୍ତେ ଓଲଟା ସେମାନଙ୍କୁ ଦୋଷ ଦେଇଥିଲେ। ଏହି ଅଭିଯୋଗ ଆଣି ଛାତ୍ରୀମାନେ ଅଧୢକ୍ଷଙ୍କ କାର୍ଯ୍ୟାଳୟ ଆଗରେ ହୋ’ହଲ୍ଲା କରି ତାଙ୍କ ଦାୟିତ୍ବରୁ ହଟାଇବାକୁ ଦାବି କରିଥିଲେ।
ଅନ୍ୟପକ୍ଷରେ ଅଭିଯୋଗ ପାଇବା ପରେ ପୁଲିସ କଲେଜକୁ ଆସି ପିଲାମାନଙ୍କୁ ଘଟଣା ସ˚ପର୍କରେ ପଚରାଉଚରା କରିଥିଲା। ଏ ସଂପର୍କରେ କଲେଜ ଅଧୢକ୍ଷ ପ୍ରଫେସର ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କହିଛନ୍ତି ଯେ ଘଟଣାକୁ ଅତି ଗୁରୁତ୍ବର ସହିତ ନିଆଯାଇଛି। ସୁପରନଟେଣ୍ଡେଣ୍ଟ୍ ଶ୍ରୀମତୀ ପଣ୍ତାଙ୍କୁ ବଦଳାଇ ଦିଆଯାଇଛି। ତାଙ୍କ ସ୍ଥାନରେ ମିନତୀପ୍ରଭା ଜେନାଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହିତ ପାଚେରି ଉପରେ ଯେଉଁ ପୁରୁଣା ତାରଜାଲି ଥିଲା, ତାହାକୁ ହଟାଯାଇ ନୂଆ ତାର ଜାଲି ଗୁଡ଼ାଯିବାକୁ ନିଷ୍ପତ୍ତି ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଡକ୍ଟର ତ୍ରିପାଠୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/kendrapara-womens-hostel.jpg)