ରାତି ଅଧରେ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ : ପଳାସୁଣୀ ପ୍ରାଚୀବିହାରରେ ୧୭ଟି କାର କାଚ ଭାଙ୍ଗି ଦେଲେ

ଭୁବନେଶ୍ବର : ରାତି ଅଧରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ। ରାସ୍ତାରେ ପାର୍କିଂ ହୋଇଥିବା କେତେକ କାର ଓ ଅଟୋର କାଚ ଭାଙ୍ଗି ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନା ଅଧୀନ ପଳାସୁଣୀ ପ୍ରାଚୀବିହାର ଈଶାନେଶ୍ବର ମନ୍ଦିର ଗଳିରେ ଘଟିଛି ଏଭଳି ଘଟଣା। ଆଜି ସକାଳୁ ଏନେଇ କାର ମାଲିକମାନେ ଥାନାରେ ଅଭିଯୋଗ କରିବା‌ ପରେ ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିବା ଆରମ୍ଭ କରିଛି। ତେବେ ଅଭିଯୋଗକାରୀମାନେ ପୁଲିସର ପାଟ୍ରୋଲିଂକୁ ନେଇ ତୀବ୍ର ଅସନ୍ତୋଷ ପ୍ରକଟ କରିଛନ୍ତି। କହିଛନ୍ତି ଗଳିକନ୍ଦି‌ରେ ପୁଲିସ ପାଟ୍ରୋଲିଂ କରୁ ନ ଥିବାରୁ ଏଭଳି ଅଘଟଣ ଘଟିଛି।

ଯାହା ସୂଚନା ମିଳିଛି, ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସି ଏଭଳି କାଣ୍ଡ ଭିଆଇଛନ୍ତି। ରାସ୍ତା ଉପରେ ଥୁଆ ହୋଇଥିବା କାର୍‌ ଓ ଅଟୋର କାଚକୁ ଏକ ଲୁହା ବାଙ୍କୁଲି‌‌ରେ ବାଡ଼େଇ ଭାଙ୍ଗିଛନ୍ତି। ପୁଲିସ ପ୍ରାଚୀବିହାରରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ଏଭଳି ଜାଣି ପାରିଛି। ତେବେ ଦୁର୍ବୁତ୍ତମାନେ ମୁହଁରେ ମୁଖା ପିନ୍ଧି ଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇ ପାରୁନାହିଁ। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

ଅନ୍ୟପକ୍ଷରେ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ବଢ଼େଇ ଠାକୁରାଣୀ ମନ୍ଦିର ନିକଟରେ ଅବାଧ ନିଶା କାରବାର ହେଉଛି। ସେଠାରେ କେତେକ ଅସାମାଜିକ ଯୁବକ ମଦ ପିଇବା ସହ ବ୍ରାଉନସୁଗାର ଖାଉଛନ୍ତି। ଫଳରେ ସେହି ରାସ୍ତାରେ ଝିଅ ବୋହୂମାନେ ମଧ୍ୟ ଯିବା ଆସିବା କରିବାକୁ ଅସୁରକ୍ଷିତ ମଣୁଛନ୍ତି। ପ୍ରାଚୀବିହାର ଅଞ୍ଚଳରେ ସିନ୍ଧି ଚୋରି, ଚୋରି, ଲୁଟପାଟ ଓ ଡକାୟତି ଭଳି ଅପରାଧ ବଢ଼ି ବଢ଼ି ଚାଲିଛି। କିନ୍ତୁ ମଞ୍ଚେଶ୍ବର ଥାନା ପୁଲିସ ଠିକ୍‌ ଭାବେ ପାଟ୍ରୋଲିଂ କରୁନାହିଁ।

ପଳାସୁଣୀ ପ୍ରାଚୀବିହାର ଗଳିରେ ଦୁର୍ବୃତ୍ତମାନେ କାର କାଚ ଭାଙ୍ଗିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଇନଫୋସିଟି ଥାନା ଅଧୀନ କାନନ ବିହାର ଫେଜ-୨, ଚନ୍ଦ୍ରଶେଖରପୁର ଥାନା ଅଧୀନ କାନନ ବିହାର ଫେଜ-୧, ମାରୁତି ଭିଲ୍ଲା, ଆର୍ଯ୍ୟ ଭିଲ୍ଲା ଅଞ୍ଚଳରେ ମଧ୍ୟ ଦୁର୍ବୃତ୍ତମାନେ ସମାନ ଢଙ୍ଗରେ କାର୍‌ କାଚ ଭାଙ୍ଗିଥିଲେ। ଏତଦ୍‌ ବ୍ୟତୀତ ଅନେକ ଅଞ୍ଚଳରେ ଏଭଳି ଢଙ୍ଗରେ କାର୍‌ ଭଙ୍ଗା ଯାଇଥିବା ନଜିର ରହିଛି। ନୂଆପଲ୍ଲୀ, ଲକ୍ଷ୍ମୀସାଗର, ଖାରବେଳନଗର, ଖଣ୍ଡଗିରି ଥାନାରେ ପୂର୍ବରୁ ଏଭଳି ଏକାଧିକ ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ବାସିନ୍ଦା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏଯାଏ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇ ନାହିଁ।

ଅନ୍ୟପକ୍ଷରେ ବିଶେଷ ସୂତ୍ରରୁ ଯାହା ଖବର ମିଳିଛି, ରାଜଧାନୀର ଗୋଟିଏ ଗ୍ରୁପ ଏଭଳି କାଣ୍ଡରେ ସଂପୃକ୍ତି ରହୁଛି। ଯେଉଁ ଭିଭିଆଇପି ଅଞ୍ଚଳରେ ଲୋକମାନେ ନିଜ ପ୍ଲଟରେ କାର ପାର୍କିଂ ନ କରି ରାସ୍ତା ଉପରେ କାର କିମ୍ବା ଅଟୋ ରଖି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି, ସେହି ସବୁ ଅଞ୍ଚଳକୁ ଟାର୍ଗେଟ କରୁଛି ଏହି ଗ୍ରୁପ। ବିଳମ୍ବିତ ରାତିରେ ସେହି ଅଞ୍ଚଳରେ ପହଞ୍ଚି ଏଭଳି କାର ଓ ଅଟୋ କାଚ ଭାଙ୍ଗୁଛନ୍ତି। ବିଶେଷକରି ଶନିବାର ରାତିରେ ଏଭଳି ଘଟଣା ବେଶି ଘଟିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ଏ ନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଖୁବ ଶୀଘ୍ର ଏହି ଗ୍ରୁପ ସଦସ୍ୟମାନଙ୍କୁ ଗିରଫ କରିବ।

ସମ୍ବନ୍ଧିତ ଖବର