କବାଟବନ୍ଧ : ୫ ଗାଡ଼ି‌ ଜାଳିଦେଲେ ଦୁର୍ବୃତ୍ତ

କବାଟବନ୍ଧ : ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଜିରା ପଞ୍ଚାୟତ ଅନ୍ତର୍ଗତ ମୁରାରୀପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜଣକ ଘର ସମ୍ମୁଖରେ ଥିବା ୫ଟି ମୋଟର ସାଇକଲ୍‌କୁ ନିଆଁ ଲଗାଇ ପୋଡ଼ି ଦେଇଛି। ଗ୍ରାମର ଲକ୍ଷ୍ମୀଧର ଜେନାଙ୍କ ଘର ଆଗରେ ଏହି ଘଟଣା ଘଟିଛି। ଏ ସଂପର୍କରେ ଲକ୍ଷ୍ମୀଧର ଜେନାପୁର ଥାନାରେ ଆଜି ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଚଳାଇଛି।

ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତି ପ୍ରାୟ ୧୨ଟା ସମୟରେ ଲକ୍ଷ୍ମୀଧର ଜେନାଙ୍କ ପରିବାର ଲୋକ ଶୋଇ ପଡ଼ିଥିଲେ। ତାଙ୍କ ଘର ଆଗରେ ୩ଟି ମୋଟରସାଇକଲ ଓ ଦୁଇଟି ସ୍କୁଟି ରହିଥିଲା। ପରିବାର ଲୋକେ ଦେଖିବା ବେଳକୁ ଗାଡ଼ିଗୁଡ଼ିକ ହୁତ୍‌ହୁତ୍‌ ହୋଇ ଜଳୁଥିଲା। ତୁରନ୍ତ ଚଢେଇଧରା ସ୍ଥିତ ଅଗ୍ନିଶମ ବାହିନୀକୁ ଖବର କରିବା ସହ ଜେନାପୁର ପୁଲିସକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀମାନେ ଆସି ନିଆଁ ଲିଭାଇଥିଲେ ମଧ୍ୟ ସବୁ ଗାଡ଼ି ସଂପୂର୍ଣ୍ଣ ଜଳିଯାଇଥିଲା। ରାତି ପାଟ୍ରୋଲିଂରେ ଥିବା ଜେନାପୁର ଥାନା ଏଏସ୍‌ଆଇ ମନୋରଂଜନ ସାମଲ ରାତିରେ ଆସି ଘଟଣାର ତଦନ୍ତ କରି ଫେରିଥିଲେ। ଆଜି ଲକ୍ଷ୍ମୀଧର ଏ ସଂକ୍ରାନ୍ତରେ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ପୋଡିଯାଇଥିବା ୫ ଗାଡ଼ି ମଧ୍ୟରୁ ଲକ୍ଷ୍ମୀଧରଙ୍କର ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ହୋଇଥିବା ବେଳେ ଅନ୍ୟ ୨ଟି ବାଇକ ଓ ଗୋଟିଏ ସ୍କୁଟି ସେହି ଗ୍ରାମରେ ଭଡ଼ା ନେଇ ରହୁଥିବା ଆହ୍ଲାବାଦ ବ୍ୟାଙ୍କ କର୍ମଚାରୀଙ୍କ ବୋଲି ଜଣାଯାଇଛି। ତେବେ ଏକାଥରେ ୫ଟି ଗାଡ଼ିକୁ କିଏ ଏବଂ କାହିଁକି ପୋଡ଼ିଲା ସେନେଇ ଜେନାପୁର ପୁଲିସ ତଦନ୍ତ କରୁଥିବା ଏଏସ୍‌ଆଇ ଶ୍ରୀ ସାମଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର