ବିଂଝାରପୁର : ସିଂହପୁର-ରାଜକନିକା ମୁଖ୍ୟ ରାସ୍ତା ବିଂଝାରପୁର ଥାନା ବାଙ୍ଗରା ନିକଟରେ ଗତକାଲି ବିଳମ୍ଵିତ ରାତିରେ ଏକ କାରକୁ ଅଟକାଇ ଦୁର୍ବୃତ୍ତମାନେ ସୁନା ଓ ଟଙ୍କା ଲୁଟିନେଇଛନ୍ତି। କାରଟିକୁ ପିଟି ଭାଙ୍ଗିବା ସହ ଭିତରେ ଥିବା ଯାତ୍ରୀଙ୍କୁ ମାଡ଼ି ମାରି ସେମାନେ ଆହତ କରିଛନ୍ତି। ଏନେଇ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ସାଢ଼େ ୧୧ଟାରେ ଜରୀ ଗ୍ରାମର ବ୍ରଜକିଶୋର ମଲିକ ଓ ଅନ୍ୟ ୨ଜଣଙ୍କ ସହିତ କାର୍ (ଓଡି ୦୨ ବିଏସ୍ ୯୭୩୮)ରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ବରିପଡ଼ା ଗ୍ରାମକୁ ଯାଉଥିଲେ। ବାଙ୍ଗରା ପଞ୍ଚାୟତ ଠାକୁରାଣୀପାଳ ନିକଟରେ ୩ଟି ବାଇକ୍ ଯୋଗେ ୯ ଜଣ ଯୁବକ ଆସି କାରକୁ ଅଟକାଇଥିଲେ। ବ୍ରଜକିଶୋର ଗାଡ଼ି ଅଟକାଇବା କ୍ଷଣି ଦୁର୍ବୃତ୍ତମାନେ କାର୍ ଉପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଭାଙ୍ଗିପକାଇଥିଲେ। ବ୍ରଜକିଶୋରଙ୍କ ସମେତ ତାଙ୍କ ସହଯୋଗୀ ନିରଂଜନ ଯେନା ଓ ମନୋଜ ପଣ୍ଡାଙ୍କୁ ଘୋଷାରି ଆଣି ଲୁହାଛଡ଼ରେ ପିଟିଥିଲେ। ଏଥିରେ ନିରଂଜନଙ୍କ ହାତ ଭାଙ୍ଗିଯାଇଛି। ବ୍ରଜକିଶୋର ଓ ମନୋଜ ଗୁରୁତର ହୋଇଛନ୍ତି। ଦୁ୍ର୍ବୃତ୍ତମାନେ ସେମାନଙ୍କଠାରୁ ୨ଟି ସୁନା ମୁଦି, ୪୯ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ ଲୁଟିନେଇ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଜରୀ ଗ୍ରାମର ବୋଲି ନିରଂଜନ କହିଛନ୍ତି। ଆଉ ୨ ଜଣ ଜରୀବାଙ୍କ ଗ୍ରାମର ଓ ଅନ୍ୟ ୬ ଜଣ ଆଳି ଅଞ୍ଚଳର ବୋଲି ନିରଂଜନ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସଂପର୍କରେ ଆଇଆଇସି ରଞ୍ଜିତ ମହାନ୍ତିଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି ରାତିରେ ମାମଲା ରୁଜୁ ହେବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/loot-at-gunpoint-1.jpg)