ଦିନ ଦିପହରେ ଲୁଟିନେଲେ ୨ କୋଟିର ସୁନା ଗହଣା

ସମ୍ବଲପୁର : ଗୁରୁବାର ସ୍ପଷ୍ଟ ଦିବାଲୋକରେ ସମ୍ବଲପୁର ସହରର ମୁଖ୍ୟ ରାସ୍ତା ବୁଢ଼ାରଜା ଫାଟକସ୍ଥିତକ ମୁଥୁଟ୍‌ ଫାଇନାନ୍‌ସରୁ ଫିଲ୍ମ ଷ୍ଟାଇଲରେ ଡକାୟତି ହୋଇଛି। ସମ୍ବଲପୁର ସହର ଅଳଙ୍କାର ଦୋକାନୀମାନେ ସୁରକ୍ଷା ତଥା ପୂର୍ବରୁ ଅଳଙ୍କାର ଦୋକାନରୁ ଚୋରି ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏସ୍‌ପିଙ୍କୁ ଭେଟିବାର ମାତ୍ର ୪ ଘଣ୍ଟା ପରେ ସହରରେ ଆଉ ବଡ଼ ଧରଣର ଡକାୟତି ହୋଇଛି। ବନ୍ଧୁକ ମୁନରେ ଡକାୟତମାନେ ପାଖାପାଖି ୫/୬ ଲକ୍ଷ ଟଙ୍କା ନଗଦ ସହିତ ୨ କୋଟିର ସୁନା ଗହଣା ଲୁଟି ନେଇଥିବା କୁହାଯାଇଛି। ଡକାୟତଙ୍କ ଆକ୍ରମଣରେ ଏହି ଫାଇନ୍ନସ କଂପାନିର ହିସାବ ରକ୍ଷକ ଅଭିଳାଷ ନନ୍ଦ ଓ ସୁରକ୍ଷା କର୍ମୀ ଆହତ ହୋଇଥିବା ଏହି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଅପରାହଣ ପାଖାପାଖି ସାଢ଼େ ୩ଟା। ଓଆର୍‌ ୦୫ ନମ୍ବର ଥିବା ଏକ ଧଳା ମାରୁତି ସୁଇପ୍‌ଟ କାର୍‌ ମୁଥୁଟ୍‌ ଫାଇନାନ୍‌ସ କାର୍ଯ୍ୟାଳୟ ତଳେ ଅଟକି ଥିଲା। ଗାଡ଼ି ଚାଳକ କାର୍‌ରେ ଅଟକି ରହିଥିବା ବେଳେ ଅନ୍ୟ ୪ ଜଣ ଆଗ ପଛ ହୋଇ ସଂପୃକ୍ତ କୋଠାର ପ୍ରଥମ ମହଲାରେ ଥିବା ମୁଥୁଟ୍‌ ଫାଇନାନ୍‌ସକୁ ଯାଇଥିଲେ। ଗେଟ୍‌ ନିକଟରେ ଥିବା ଜଣେ ସୁରକ୍ଷା କର୍ମୀ ଶରତ ଚନ୍ଦ୍ର ପଣ୍ଡା ପଚାରିବାରୁ ସେମାନେ ନିଜକୁ ଗ୍ରାହକ ବୋଲି ପରିଚୟ ଦେଇ ଭିତରକୁ ପଶି ଥିଲେ। ଅନ୍ୟ ଦୁଇ ଜଣ ସେମାନଙ୍କ ପଛରେ ଯିବା ବେଳେ ସୁରକ୍ଷା କର୍ମୀ ସେମାନଙ୍କୁ ବାରଣ କରିବାରୁ ତାଙ୍କୁ ଧକ୍କା ଦେଇ ଭିତରକୁ ଠେଲି ଦେଇଥିଲେ। ପିସ୍ତଲର ପଛପଟୁ ତାଙ୍କ ମୁଣ୍ଡରେ ପିଟିବାରୁ ଆଘାତ ଲାଗିଥିଲା। ଅନ୍ୟ ୩ ଜଣ ଡକାୟତ ଏହି ଫାଇନ୍‌ନାସ୍‌ କଂପାନିର ମ୍ୟାନେଜର ସୌମ୍ୟରଂଜନ ବାବୁ ସମେତ ୪ ଜଣ କର୍ମଚାରୀ ଏବଂ ଜଣେ ଗ୍ରାହକଙ୍କୁ ପିସ୍ତଲ ଦେଖାଇ ଜୀବନରେ ମାରି ଦେବାକୁ ଦେଇଥିଲେ। ହିସାବ ରକ୍ଷକ ଅଭିଳାଷ ନନ୍ଦଙ୍କ ମୁଣ୍ଡରେ ମଧ୍ୟ ସେମାନେ ପିସ୍ତଲ ପ୍ରହାର କରିଥିଲେ। ମୁଣ୍ଡରେ ଆଘାତ ଲାଗିବା ପରେ ଅଭିଳାଷ ତଳେ ପଡ଼ି ଯାଇ କିଛି ସମୟ ପର୍ଯ୍ୟନ୍ତ ସଂଜ୍ଞାହୀନ ହୋଇ ପଡ଼ିଥିଲେ।

ଅନ୍ୟମାନଙ୍କ ମୁଣ୍ଡରେ ପିସ୍ତଲ ଲଗାଇବାରୁ ସେମାନେ ଆତଙ୍କିତ ହୋଇପଡ଼ିଥିଲେ। ସେମାନଙ୍କ ନିର୍ଦେଶ ମୁତାବକ କର୍ମଚାରୀ ଓ ଗ୍ରାହକ ଜଣକ ତଳେ ବସି ଯାଇଥିଲେ। ଜଣେ ସମସ୍ତଙ୍କ ମୋବାଇଲ ଫୋନ୍‌ ସଂଗ୍ରହ କରିନେଇଥିବା ବେଳେ ଅନ୍ୟ ଜଣେ କେସ୍‌ କାଉଣ୍ଟର ଓ ଷ୍ଟ୍ରଂଗରୁମ୍‌ର ନେଇ ସାଂଗରେ ଆଣିଥିବା ବ୍ୟାଗ୍‌ରେ ଟଙ୍କା ଓ ସୁନା ଗହଣା ଭର୍ତି କରିଥିଲେ। ଟଙ୍କା ଓ ସୁନା ଅଳଙ୍କାରକୁ ୩ଟି ବ୍ୟାଗ୍‌ରେ ଭର୍ତି କରି ବାହାରି ଆସି ଗେଟରେ ତାଲା ପକାଇ ଦେଇଥିଲେ। ତେବେ ଏହି ଡକାୟତି ଘଟଣାର ସବୁ ଦୃଶ୍ୟ ସିସିଟିଭି କ୍ୟାମେରା ରେକର୍ଡ ହୋଇଛି। ଫାଟକ ମୁଥୁଟ୍‌ ଫାଇନ୍‌ନାସର ସିସିଟିଭି ଗେଇଟି ଟକିଜ ରୋଡ୍‌ରେ ଥିବା ଆଂଚଳିକ କାର୍ଯ୍ୟାଳୟ ସହିତ ସଂଯୋଗ ହୋଇଛି। ଡକାୟତି ସମୟର ଦୃଶ୍ୟ ଦେଖି ଏହାର ଆଂଚଳିକ କାର୍ଯ୍ୟାଳୟର କର୍ମଚାରୀମାନେ ଭୁବନେଶ୍ୱର କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରୁ ସମ୍ବଲପୁର ପୁଲିସ୍‌କୁ ସୂଚନା ଦିଆଯାଇଥିଲା।

ଘଟଣା ସଂକ୍ରାନ୍ତରେ ଖବର ପାଇ ଅଇଁଠାପାଲି ଓ ଟାଉନ ଥାନା ପୁଲିସ୍‌ ତୁରନ୍ତ ସେଠାରେ ପହଂଚି ଥିଲେ। ତେବେ ପୁଲିସ୍‌ ପହଂଚିବାର ମାତ୍ର କେଇ ମିନିଟ ପୂର୍ବରୁ ଡକାୟତମାନେ ଉକ୍ତ କାର୍‌ରେ ଲୁଟ୍‌ ସାମଗ୍ରୀ ଧରି ଚମ୍ପଟ ମାରି ଥିଲେ। ଡକାୟତମାନେ ଫାଇନାନ୍‌ସ କଂପାନିକୁ ଯିବା ବେଳେ ସେମାନଙ୍କ ସହଯୋଗୀ ଗାଡ଼ି ଚାଳକ ପ୍ରସ୍ତୁତ ହୋଇ ରହିଥିବାରୁ ସେମାନେ ଶୀଘ୍ର ପଳାଇବାରେ ସୁବିଧା ହୋଇଥିଲା। ତେବେ କେତେକ ସ୍ଥାନୀୟ ଯୁବକ ଟଙ୍କା ଓ ସୁନା ଭର୍ତି ଥିବା ବ୍ୟାଗ୍‌କୁ ଡିକି ଓ ପଛପଟରେ ରଖୁଥିବାର ଫଟୋ ମୋବାଇଲ କ୍ୟାମେରାରେ ଉଠାଇ ନେଇଥିଲେ। ଡକାୟତମାନେ ତୀବ୍ର ଗତିର ଅଇଁଠାପାଲି ପଟକୁ ପଳାଇ ଥିଲେ।

ସମ୍ବନ୍ଧିତ ଖବର