ଫୁଲବାଣୀ: ଫୁଲବାଣୀ ସର୍କିଟ୍ ହାଉସ୍ ପରିସରରେ ଥିବା ଫୁଲବାଣୀ ବିଧାୟକ ଉମାଚରଣ ମଲିକଙ୍କ ଗାଡ଼ିକୁ ଦୁର୍ବୃତ୍ତ ଜାଳି ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି। ସର୍କିଟ୍ ହାଉସ୍ ଗ୍ୟାରେଜ୍ରେ ଥିବା ଅନ୍ୟ ଦୁଇଟି ଦୁଇଚକିଆ ଯାନକୁ ସମ୍ପୂର୍ଣ୍ଣ ଜାଳି ଦେଇଥିବା ବେଳେ ବିଧାୟକଙ୍କ ଇନୋଭା ଗାଡ଼ି (ଓଡ଼ି-୧୨ଏଫ୍-୭୬୨୬) ଆଂଶିକ ଭାବେ ଜଳିଯାଇଛି।
ବିଧାୟକ ଶ୍ରୀ ମଲିକ ଗତକାଲି ରାତିରେ ଫୁଲବାଣୀ ସର୍କିଟ୍ ହାଉସ୍ରେ ରାତ୍ରିଯାପନ କରିଥିଲେ। ସର୍କିଟ୍ ହାଉସ୍ର ଅନ୍ୟ ଏକ କୋଠରିରେ ଜଣେ ହାଇକୋର୍ଟ ଜଜ୍ ମଧ୍ୟ ଥିଲେ। ତେବେ ରାତି ପ୍ରାୟ ଦୁଇଟା ବେଳେ ବିଚାରପତିଙ୍କ ସୁରକ୍ଷା ଦାୟିତ୍ବରେ ଥିବା ହୋମ୍ଗାର୍ଡ଼ ବିଧାୟକଙ୍କ ଗାଡ଼ି ସମେତ ଦୁଇଟି ବାଇକ୍ରେ ନିଆଁ ଲାଗିଥିବା ଦେଖି ସର୍କିଟ୍ ହାଉସ୍ କର୍ମଚାରୀଙ୍କୁ ଡାକିଥିଲେ। ସଙ୍ଗେ ସଙ୍ଗେ ପୁଲିସ ଓ ଦମକଳବାହିନୀକୁ ଖବର ଦିଆଯାଇଥିଲା। କାଳେ ବିଦ୍ୟୁତ୍ ସର୍ଟସର୍କିଟ୍ରୁ ନିଆଁ ଲାଗିଥିବା ଆଶଙ୍କା କରି ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ବିଧାୟକଙ୍କ ସୁରକ୍ଷା କର୍ମୀ (ପିଏସ୍ଓ)ଙ୍କ ଏକ ବାଇକ୍ ଏବଂ ସର୍କିଟ୍ ହାଉସ୍ କର୍ମଚାରୀଙ୍କ ଏକ ସ୍କୁଟି ସମ୍ପୂର୍ଣ୍ଣ ପୋଡ଼ି ଧ୍ବଂସ ପାଇ ଯାଇଥିବା ବେଳେ ବିଧାୟକଙ୍କ ଗାଡ଼ି ଆଂଶିକ ଭାବେ ପୋଡ଼ିଛି। ଘଟଣାସ୍ଥଳରୁ ଏକ ପେଟ୍ରୋଲ୍ ଭର୍ତ୍ତି ପ୍ଲାଷ୍ଟିକ୍ ବୋତଲ ମଧ୍ୟ ପୁଲିସ ଜବତ କରିଛି। ବୌଦ୍ଧରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛି। ହୁଏତ ବିଧାୟକଙ୍କ କେହି ବିରୋଧୀ ଏଭଳି କାଣ୍ଡ ଘଟାଇ ଥାଇପାରେ ବୋଲି ଅନୁମାନ କରାଯାଉଛି।
କନ୍ଧମାଳ ଏସ୍ପି ହରିଶ ବିସି ଘଟଣାସ୍ଥଳକୁ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସବୁ ଦିଗରୁ ପୁଲିସ ତଦନ୍ତ କରୁଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ଅନ୍ୟପକ୍ଷରେ କେହି ରାଜନୈତିକ ଶତ୍ରୁ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ବିଧାୟକ ଶ୍ରୀ ମଲିକ ଆଶଙ୍କା ପ୍ରକାଶ କରିଛନ୍ତି। ଗତ କିଛି ଦିନ ମଧ୍ୟରେ ଫୁଲବାଣୀ ସହରରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ହୋର୍ଡିଂକୁ ଦୁର୍ବୃତ୍ତମାନେ ଚିରି ଫାଡ଼ି ବିକୃତ କରି ପକାଇଛନ୍ତି। କେହି ବିଧିବଦ୍ଧ ଭାବେ ଏଭଳି କାଣ୍ଡ ଘଟାଉଛି ବୋଲି ବିଜେପିର କିଛି ନେତା ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ସର୍କିଟ୍ ହାଉସ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/28/qkUxDuXyU3c0hTS0j5ZE.jpg)