ଦୁଷ୍କର୍ମ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ୍ 

ସମ୍ବଲପୁର: ନାବାଲିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ମଙ୍ଗଳବାର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି। ଅଭିଯୋଗ ଅନୁଯାୟୀ, କୁଚିଣ୍ଡାର ଜଣେ ନାବାଳିକା(୧୫) ପ୍ରେମ କରୁଥିବା ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ନାବାଳିକା ୨ ମାସର ଗର୍ଭବତୀ ଥିବା ଜାଣିବା ପରେ ଯୁବକ ଜଣକ ତାଙ୍କୁ ମେଡିସିନ୍‌ ଦେଇ ଗର୍ଭ ନଷ୍ଟ କରି ଦେଇଥିଲା। ଏହାପରେ ନାବାଳିକା ଜଣକ ତାଙ୍କର ଏକ ସାଙ୍ଗ ଘରେ ରହୁଥିଲେ।

କିଛି ଦିନ ପରେ ତାଙ୍କ ସାଙ୍ଗର ମା’ ନାବାଳିକାଙ୍କୁ ଖରାପ କାମରେ ଲଗାଇଥିଲେ। ସାଙ୍ଗର ମା’ କଥାରେ କୁଚିଣ୍ଡାର ଜଣେ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। କିଛିଦିନ ପରେ ସମ୍ବଲପୁରର ଆଉଜଣେ ଯୁବକ ତାଙ୍କ ଘରକୁ ଆସି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ତାପରେ ଉକ୍ତ ଯୁବକକୁ ବିବାହ କରିବାକୁ ନାବାଳିକାଙ୍କ ସାଙ୍ଗର ମା’ ବାଧ୍ୟ କରିଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଚାଇଲ୍‌ଡ ଲାଇନ୍‌ ପକ୍ଷରୁ ନାବାଳିକାଙ୍କୁ ଉଦ୍ଧାର କରାଯିବା ସହ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ପୁଲିସ ନାବାଳିକାଙ୍କ ସାଙ୍ଗର ମା’ ଏବଂ ଦୁଷ୍କର୍ମ କରିଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମଙ୍ଗଳବାର ପୋକ୍‌ସୋ କୋର୍ଟରେ ଏହି ମାମଲାର ବିଚାର ହୋଇଥିବା ବେଳେ ପ୍ରମାଣ ଅଭାବରୁ ୩ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଆଇନଜୀବୀ ବିଭୂତି ଭୂଷଣ ପଟ୍ଟନାୟକ, ଦିବ୍ୟ ମିଶ୍ର ଓ ଦୀପକ କୁଅଁର ଅଭିଯୁକ୍ତଙ୍କ ପକ୍ଷରୁ କେସ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର