ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକା ୬ମାସର ଅନ୍ତସତ୍ତ୍ବା ହେବାଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅପର ପକ୍ଷରେ ଏହି ଘଟଣାରେ ଜଣେ ୧୬ବର୍ଷର ନାବାଳକ ନାଁରେ ପୀଡିତାଙ୍କ ପରିବାର ପୁରୁଣାକଟକ ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ ନାବାଳକ ଫେରାର ଥିବା ଜଣାଯାଇଛି। ପୁଲିସ ଏନେଇ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଥିବା ପୁଲିସ ସୂତ୍ରରୁ ଜଣାଯାଇଛି।

Advertisment

ଅଭିଯୋଗ ଅନୁସାରେ, ହରଭଙ୍ଗା ବ୍ଲକ୍‌ ପୁରୁଣାକଟକ ଥାନା ଅଞ୍ଚଳର ନାବାଳକ ନିଜର ପରିବାର ସଦସ୍ୟଙ୍କ ସହ ଏକ ଗାଁକୁ ଇଟା ଗଢ଼ିବାକୁ ଯାଇଥିଲେ। ସେଠାରେ ୭ ମାସ ରହିବା ଭିତରେ ଉକ୍ତ ଗାଁର ଜଣେ ନାବାଳିକା ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବି ଗଢ଼ି ଉଠିଥିଲା। ପରେ ଝିଅର ହାବଭାବ ଦେଖି ସନ୍ଦେହରେ ତା’ର ମା’ ପଚରା ଉଚରା କରିବାରୁ ସେ ସବୁକଥା କହିଥିଲା। ପରିବାର ଲୋକେ ଏକଥା ଜାଣିବା ପରେ ପୁରୁଣାକଟକ ଥାନାରେ ଅଭିଯୁକ୍ତ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିବା ସହ ପୁରୁଣାକଟକ ଡାକ୍ତରଖାନାରେ ନାବାଳିକାର ଡାକ୍ତରୀ ମାଇନା କରାଇଥିଲେ। ନାବାଳିକାକୁ ଏକ ସ୍ବଧାର ଗୃହରେ ଥଇଥାନ କରାଇଥିବା ଜଣାପଡ଼ିଛି। ତେବେ ଅଭିଯୁକ୍ତ ନାବାଳକ ଜଣକ ଫେରାର ଅଛି। ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ କରୁଥିବା ଏସ୍‌ଆଇ ପରେଶ ଷଡ଼ଙ୍ଗୀ କହିଛନ୍ତି।