ଦୁଷ୍କର୍ମ ପୀଡ଼ିତା ନାବାଳିକା ଗର୍ଭବତୀ ମାମଲା: ଦୋଷୀକୁ ୧୫ ବର୍ଷ ଜେଲ୍‌ ଓ ଜରିମାନା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାର ଶୁଣାଣି କରିଛନ୍ତି ବାରିପଦା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ଦୁର୍ଗାଚରଣ ମିଶ୍ର। ଦୋଷୀ ସାବ୍ୟସ୍ତ ଅର୍ଜୁନ ହେମ୍ବ୍ରମ୍‌କୁ ୧୫ ବର୍ଷ ଜେଲ୍‌ ଓ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ୨୦୧୪ ମସିହାରେ ଶରତ ଅଞ୍ଚଳର ଜଣେ ୧୨ ବର୍ଷୀୟା ନାବାଳିକା ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତ ଅର୍ଜୁନ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ପରବର୍ତ୍ତୀ ସମୟରେ ଅନେକ ଥର ନାବାଳିକାଙ୍କ ସହ ସେ ଦୁଷ୍କର୍ମ କରିଥିବା ବେଳେ ପୀଡ଼ିତା ଭୟରେ ଏକଥା କାହାକୁ କହୁନଥିଲେ।

ତେବେ ସେ ୬ ମାସର ଗର୍ଭବତୀ ହେବା ପରେ ଘଟଣା ପଦାକୁ ଆସିଥିଲା। ଏ ସଂକ୍ରାନ୍ତରେ ପରିବାର ଲୋକ ଅର୍ଜୁନକୁ ପଚାରିବାରୁ ସେ ଓଲଟା ହତ୍ୟା ଧମକ ଦେଇଥିଲା। ଅନ୍ୟ ଉପାୟ ନପାଇ ୨୦୧୫ ଏପ୍ରିଲ୍‌ ୩ ତାରିଖରେ ଶରତ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର। କେସ୍ ନଂ ୧୪/୨୦୧୫ରେ ମାମଲା ରୁଜୁ କରି ଅର୍ଜୁନକୁ କୋର୍ଟ ଚାଲାଣ କରିଥିଲା ପୁଲିସ। ସେହିଦିନରୁ ସେ ବାରିପଦା ସର୍କଲ ଜେଲ୍‌ରେ ବିଚାରଧୀନ ବନ୍ଦୀ ଭାବେ ରହିଆସୁଛି। ଆଜି ଅଦାଲତ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରି ଦୋଷୀକୁ ଦଣ୍ଡ ଦେବା ସହ ପୀଡ଼ିତାଙ୍କୁ ତୁରନ୍ତ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଆଇନ୍‌ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମନୋରଞ୍ଜନ ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର