ଦୀପାବଳିରେ ଅଘଟଣ: ଜଳିଗଲା ୧୬ ବଖରା, ୮ ଆହତ

ଭୁବନେଶ୍ୱର: ଗତକାଲି ଦୀପାବଳି ପାଳନ ସମୟରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। କେଉଁଠି ବାଣ ଫୁଟି ଘରେ ନିଆଁ ଲାଗି ଯାଇଛି ତ କେଉଁଠି ବାଣ ଫୁୁଟାଉଥିବା ବେଳେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲୋକେ ଆହତ ହୋଇଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବାଣ ଫୁଟାଇବା ସମୟରେ ପ୍ରାୟ ୮ ଜଣ ଆହତ ହୋଇଥିବା ବେଳେ ପ୍ରାୟ ୧୬ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଭଦ୍ରକରେ ବାଣ ଫୁଟାଇବା ବେଳେ ୨ ଶିଶୁଙ୍କ ସମେତ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବାଲିଖଣ୍ଡର ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ବାରିକପୁର ପାଇମୋରାର ଜଣେ ଆହତ ହୋଇଥିବା ସୂଚନା ମିଳିଛି ।ସେପଟେ ମଇତାପୁରରେ ଜଣେ ୪ ବର୍ଷର ଶିଶୁ ବାଣ ନିଆଁରେ ପୋଡି ଆହତ ହୋଇଥିବା ଜଣାପଡିଛି । ସେହିପରି ବାଣ ଫୁଟାଇବା ବେଳେ ଅଘଟଣ ଘଟି ଭୁବନେଶ୍ୱରରେ ମଧ୍ୟ ୩ ଜଣ ଆହତ ହୋଇଛନ୍ତି।
ସେହିପରି ଗତକାଲି ବାଣ ଫୁଟାଉଥିବା ବେଳେ ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନି ଛକରେ ଭୟାବହ ଅଗ୍ନିକାଣ୍ଡ ଘଟି ଗୋଟିଏ ଘର ସହ ୨ଟି ଦୋକାନ ଘର ସଂପୂର୍ଣ୍ଣ ଜଳି ଯାଇଛି। ଜଳିଯାଇଥିିବା ଦୋକାନରେ ବେଆଇନ ଭାବେ ବିପୁଳ ପରିମାଣର ପେଟ୍ରୋଲ ଓ ଡିଜେଲ ଗଚ୍ଛିତ ଥିବାରୁ ନିଆଁ ଅଧିକ ତୀବ୍ର ଭାବେ ଜଳିଥିବା କୁହାଯାଉଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିି ନିଆଁକୁ ଆୟତ କରିଥିଲେ। ସେହିପରି ପାରାଦୀପରେ ଅଗ୍ନିକାଣ୍ଡ ଘଟି ଭଞ୍ଜ କଲୋନୀରେ ତିନି ବଖରା ଘର ଜଳିଯାଇଛି । ଅପରକ୍ଷେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦୀଘି ପଞ୍ଚାୟତର କେନ୍ଦୁଢ଼ିପା ଗାଁରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୦ ବଖରା ଘର ଜଳ ଯାଇଛି।

ସମ୍ବନ୍ଧିତ ଖବର