ଗୋପାଳପୁର : ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ହଟ୍ସ୍ପଟ୍ ପାଲଟିଛି। ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିରଙ୍କୁଶ କ୍ଷମତା ବଜାୟ ରକ୍ଷା ଏବେ ଦଳ ପାଇଁ ସମ୍ମାନର ପ୍ରଶ୍ନ। ତେଣୁ ଗତ ପ୍ରାୟ ବର୍ଷେ ହେଲା ନେତୃତ୍ବବିହୀନ ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡି ସଂଗଠନ ସମ୍ଭାଳିବା ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ.ଗୋପବନ୍ଧୁ ଦାସ ଏଠାରେ କ୍ୟାମ୍ପ୍ କରି ନିର୍ବାଚନ ରଣନୀତି ପ୍ରସ୍ତୁତି ସହ ପାର୍ଥୀଙ୍କ ପ୍ରଚାର ଅଭିଯାନର ମଙ୍ଗ ସମ୍ଭାଳିଛନ୍ତି। ଏହି କ୍ରମରେ ନିର୍ବାଚନମଣ୍ଡଳୀରେ ମୁଖ୍ୟ ବିରୋଧୀ ଦଳ ବିଜେପିକୁ ଶକ୍ତିହୀନ ପ୍ରୟାସ ସ୍ବରୂପ ଆଜି ଗୋଳାବନ୍ଧରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ତାଙ୍କ ଉପସ୍ଥିତିରେ ବହୁ ବିଜେପି ଯୁବକର୍ମୀ ବିଜେଡିରେ ସାମିଲ୍ ହୋଇଛନ୍ତି।
ବିଜେଡି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଗୋଳାବନ୍ଧ ଗ୍ରାମର ପ୍ରାୟ ୪୦ ଜଣ ଯୁବକର୍ମୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଜଣାପଡ଼ିଛି। ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମରେ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀକାନ୍ତ ସାହୁଙ୍କ ପ୍ରଚେଷ୍ଟାରେ ବିଜେପି ଯୁବକର୍ମୀମାନେ ବିଜେଡିରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଦାସଙ୍କ ସହିତ ବ୍ଲକ ସଭାପତି ଅଜିତ କୁମାର ଦାସ, ପର୍ଯ୍ୟବେକ୍ଷକ ସିଏଚ୍. ଭରତ, ଜିଲ୍ଲା ଯୁବ ବିଜେଡି ଉପସଭାପତି ଲଲାଟ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମର ମିଟୁ ଦାସ, ପୂର୍ବତନ ସମିତି ସଭ୍ୟ ଏନ୍. ଜଗା ରାଓ, କୃଷ୍ଣ ମହାରଣା, ପାପା ରାଓ, ସମୀର ଦାସ, ସନ୍ତୋଷ ଦାସ, କାଳିଆ ମହାରଣା, ଏ. ଧର୍ମା, ସିଏଚ୍. କାର୍ତ୍ତିକଙ୍କ ସମେତ ସେମାନଙ୍କ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ସମର୍ଥକ ବିଜେଡିରେ ସାମିଲ ହୋଇଥିବା ଜିଲ୍ଲା ଯୁବ ସଭାପତି ଭବାନୀକାନ୍ତ ସାହୁ ସୂଚନା ଦେଇଛନ୍ତି।