ଜାତୀୟ ଅଭିବୃଦ୍ଧି ହାର ସଂପର୍କରେ ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି: କଂଗ୍ରେସ

ଭୁବନେଶ୍ବର : ଦେଶର ଆର୍ଥିକ ସ୍ଥିତି ଏବେ ସଂଗୀନ ରହିଛି। ଦେଶର ଆର୍ଥିକ ପରିଚାଳନା ନେଇ ବିଦେଶର ପ୍ରସିଦ୍ଧ ଅର୍ଥଶାସ୍ତ୍ରୀମାନେ ଉଦ୍‌ବେଗ ପ୍ରକାଶ କରୁଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ମିଥ୍ୟା ଓ ଆଧାରହୀନ ବିବୃତି ଦେଇ ଦେଶବାସୀଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା କରୁଛନ୍ତି। ମିଛ କହି ରାଜନୀତିରେ ଜଣେ ସଫଳ ହୋଇପାରେ, ମାତ୍ର ମିଛ ଗଣିତରେ ଆର୍ଥିକ ସ୍ଥିତି ସୁଧରିବ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ।

ଶନିବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନଗୋ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନର ୮ବର୍ଷ ଭିତରେ ଦେଶର ଅର୍ଥନୀତି ତଳକୁ ତଳକୁ ଚାଲି ଯାଇଛି। ନିକଟରେ କେନ୍ଦ୍ର ସରକାର ତାଙ୍କ ମିଛ ହିସାବ ଖାତା ଧରି ଏପ୍ରିଲ-ଜୁନର ଅଭିବୃଦ୍ଧି ହାର ୧୩.୫ ପ୍ରତିଶତ ଥିବା ଘୋଷଣା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଢଙ୍ଗରେ ଏହାର ପ୍ରଚାର କଲେ ଯେ ସତେ ଯେପରି ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ ହେବ। ବାସ୍ତବରେ ସମସ୍ତ ହିସାବ ଦେଖିଲେ ଚଳିତ ବର୍ଷର ଅଭିବୃଦ୍ଧି ହାର ପ୍ରାୟ ୭.୨ ପ୍ରତିଶତ ହିଁ ରହିବ। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ଏବେ ପ୍ରାୟ ୮୦ଟଙ୍କାରେ ପହଞ୍ଚିଲାଣି। ହେଲେ କେନ୍ଦ୍ର ସରକାର ୫ ଟ୍ରିଲିୟନ ଅର୍ଥନୀତିର ସ୍ୱପ୍ନ ଦେଖାଇବାରେ ବ୍ୟସ୍ତ। ବର୍ତମାନ ହାରରେ ଯଦି ଅର୍ଥନୀତି ଆଗକୁ ବଢ଼େ ତାହାଲେ ପ୍ରଧାନମନ୍ତ୍ରୀଙ୍କୁ ଶହେ ବର୍ଷ ହେଲା ବେଳକୁ ମଧ୍ୟ ୫ ଟ୍ରିଲୟନ ଅର୍ଥନୀତିରେ ପହଞ୍ଚିବା ଅସମ୍ଭବ।

ସେ ଆହୁରି ମଧ୍ୟ କହିଲେ ‌ଯେ ୨୦୧୧-୧୨ ମୂଲ୍ୟ ଅନୁସାରେ ଦେଶର ମୋଟ ଜିଡିପି ପରିମାଣ ଏବେ ୩୬.୮୫ ଲକ୍ଷ କୋଟି ଟଙ୍କା ହୋଇଛି। ପୂର୍ବ ବର୍ଷ ଏହି ସମୟରେ ଏହାର ପରିମାଣ ୩୨.୪୬ ଲକ୍ଷ କୋଟି ଥିଲା। ଯାହାକୁ ହିସାବ କରି ୧୩.୫ ପ୍ରତିଶତ ଅଭିବୃଦ୍ଧି ହୋଇଛି ବୋଲି କୁହାଯାଉଛି। ୨୦୧୨ ମସିହାଠାରୁ ବର୍ତମାନସୁଦ୍ଧା ଡଲାର ଅନୁସାରେ ଟଙ୍କାର ମୂଲ୍ୟ ଯଥେଷ୍ଟ କମିବାରେ ଲାଗିଛି। ଡଲାର ଅନୁସାରେ ଟଙ୍କାର ମୂଲ୍ୟ ହ୍ରାସକୁ ଦେଖିଲେ ଓ ଦେଶର ଅଭିବୃଦ୍ଧି ଆଦୌ ୭.୨ ପ୍ରତିଶତ ଟପି ନାହିଁ କି ଟପିବ ନାହିଁ। ଦେଶରେ ଦରଦାମ ବୃଦ୍ଧି ହୁ ହୁ ବଢ଼ୁଥିବାରୁ ଉତ୍ପାଦ ଗୁଡ଼ିକର ଆକାଶଛୁଆଁ ମୂଲ୍ୟ ବୃଦ୍ଧି ଘଟୁଛି। ବାସ୍ତବ କ୍ଷେତ୍ରରେ ଅଭିବୃଦ୍ଧି ଏବେ ବି ନକରାତ୍ମକ ରହିଛି। ଜିଏସ୍‌ଟି ଆୟ ମାସିକ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବୋଲି ଯାହା କୁହାଯାଉଛି ତାହା କ୍ରୟ ବିକ୍ରୟ ପରିମାଣ ବୃଦ୍ଧି ପାଇଁ ନୁହେଁ ବରଂ ଉତ୍ପାଦ ଗୁଡ଼ିକର ମଲ୍ୟ ବୃଦ୍ଧି ହେତୁ ହୋଇଥାଏ। ୨୦୧୬ ମସିହାର ବିମୁଦ୍ରାୟନ ଓ ୨୦୧୭ ମସିହାର ସେବା ଓ ଦ୍ରବ୍ୟ କର (ଜିଏସଟି) ଲାଗୁ କରି କେନ୍ଦ୍ର ସରକାର ଦେଶର ଆର୍ଥିକ ବ୍ୟବସ୍ଥାକୁ ସଂପୂର୍ଣ୍ଣ ପଙ୍ଗୁ କରିଦେଇଛନ୍ତି। ଏଭଳି ଅଭାବନୀୟ ସ୍ଥିତି ପାଇଁ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଓ ଅଜ୍ଞତା ଦାୟୀ। କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ପାଇଁ ଆମ ରାଜ୍ୟ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଛି। ରାଜ୍ୟର ଜନସାଧାରଣ ଏହାର କୁପ୍ରଭାବରେ ହନ୍ତସନ୍ତ ହେଉଛନ୍ତି। ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦୁଇରେ ଦୁଇ ମିଶିଲେ ୨୨ ବୋଲି ମିଛ ହିସାବ ଦେଉଛନ୍ତି ବୋଲି ଶ୍ରୀ କାନୁନଗୋ ମତବ୍ୟକ୍ତ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ମୁଖପାତ୍ର ଅମିୟ ପାଣ୍ଡବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର