ବାଲେଶ୍ବର: ଆଜିଠାରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। କରୋନା ପରେ ଛାତ୍ରଛାତ୍ରୀମାନେ ପ୍ରଥମ କରି ପରୀକ୍ଷା ଦେଉଛନ୍ତି। ତେବେ ପରୀକ୍ଷା ନେଇ ଅନେକ ଛାତ୍ରଛାତ୍ରୀ ଉତ୍ସାହିତ ଥିବା ବେଳେ କିଛି ଛାତ୍ରଛାତ୍ରୀ ଦ୍ବନ୍ଦ୍ବ ଓ ଆଶଙ୍କା ଭିତରେ ଅଛନ୍ତି। କାରଣ ସ୍କୁଲ୍ ଯେପରି ପାଠପଢ଼ା ହେବା କଥା, ସେପରି ପାଠପଢ଼ା ଯାଇନାହିଁ।
ଉତ୍ତର ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ୨୦୬ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ମୋଟ ୩୨ ହଜାର ୭୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସେହିପରି ଭଦ୍ରକ ଜିଲ୍ଲାରେ ୧୨୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଯେଉଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ୨୩ ହଜାର ୭୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୧୯୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ଏହି କେନ୍ଦ୍ରଗୁଡ଼ିକରେ ମୋଟ ୩୭ ହଜାର ୪୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ଜଣାପଡ଼ିଛି।
ତେବେ ମାଟ୍ରିକ୍ ପରୀକ୍ଷାକୁ ନେଇ ନାନା ଅବ୍ୟବସ୍ଥା ଦେଖାଦେଇଛି। ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍ ସମସ୍ୟା ରହିଛି। ସେହିପରି ଯେଉଁ ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍ ବ୍ୟବସ୍ଥା ଅଛି, ସେଠାରେ ସବୁ ଫ୍ୟାନ୍ ବୁଲୁନି। କେବଳ ସେତିକି ନୁହେଁ, ଅନେକ ପରୀକ୍ଷା କେନ୍ଦ୍ରରେ ଉପଯୁକ୍ତ ପାନୀୟ ଜଳର ବ୍ୟବସ୍ଥା ହୋଇ ନ ଥିବା ଦେଖିବାକୁ ମିଳିଛି। ଯେଉଁ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣୁଛନ୍ତି, ସେମାନେ ପରୀକ୍ଷା ଶେଷ ଯାଏ ଖରାରେ ଅପେକ୍ଷା କରିବାରେ ନାକେଦମ ହେଉଛନ୍ତି।
ତେବେ ମାଟ୍ରିକ୍ ପରୀକ୍ଷା ପରିଚାଳନାରେ ଯେଉଁସବୁ ଅସୁବିଧା ଦେଖାଦେଇଛି, ସେଗୁଡ଼ିକର ସମାଧାନ ପାଇଁ ଦାବି ହୋଇଛି। ସମସ୍ୟାର ସମାଧାନ ହେଲେ ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଆଶ୍ବସ୍ତ ହୋଇପାରିବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp